
ଓଡିଶାରେ ଆୟୋଜିତ ବିଶ୍ୱକପ ପୁରୁଷ ହକି ପ୍ରତିଯୋଗିତାରେ କ୍ରୀଡା ଓ କ୍ରୀଡାବିତଙ୍କୁ ଉତ୍ସାହିତ କରିବାପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିସରରେ ବିଶ୍ୱକପକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ । ଖେଳର ସିଧାପ୍ରସାରଣ ଜନସାଧାରଣ ଦେଖିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ କୁନି କୁନି ପିଲାଙ୍କୁ ନେଇ ନାଚ ଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ନିକଟସ୍ଥ ମଧ୍ୟାହ୍ନ ଭୋଜନ କେନ୍ଦ୍ର ନିକଟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ସମସ୍ତେ ମଜା ନେଇଥିଲେ ।

ଭାରତ ଖେଳୁଥିବା ମ୍ୟାଚ ଦେଖିବା ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେବା ପାଇଁ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମକୁ ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ପରିଚାଳନା କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ରହି ଏହାର ଆୟୋଜନ କରିଥିଲେ। ବାଣପୁର ଥାନା ଆଇଆଇସି ଜୟ ପ୍ରକାଶ ପରିଡା ଅତିଥି ଭାବେ ଯୋଗ ଦେଇଥିଲେ। ପରିଷଦର ଉପାଧ୍ୟକ୍ଷା ଓ ସମସ୍ତ ସଭ୍ୟ ଉପସ୍ଥିତ ରହି ଏହି ଭାରତ ଓ ଓ୍ବେଲ୍ସର ମ୍ୟାଚ ଉପଭୋଗ କରିଥିଲେ। ବଡ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଯାଉଥିବା କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିଲା।
