ଅଫେରା ରାଇଜରେ ଝରଣା


ଆଉ ନାହାନ୍ତି ଅଭିନେତ୍ରୀ ଝରଣା ଦାସ । କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଝରଣା ଦାସ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି । ୬୦ ଦଶକରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କର ଅଭିନୟ ଥିଲା ଅତ୍ୟନ୍ତ ପ୍ରଭାବଶାଳୀ । ଲୋକେ ତାଙ୍କର ଅଭିନୟକୁ ବେଶ ପ୍ରଶଂସା କରନ୍ତି । ଯେତେ ବେଳେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାୟିକା ଅଭାବ ଥିଲା, ସେତେ ବେଳେ ସେ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ । ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କର ସୁଅ ଛୁଟୁ ଥିଲା । ସେ ଅଭିନୟ କରିବା ସହ ଖୁବ୍ ସୁନ୍ଦର ଗୀତ ମଧ୍ୟ ଗାଆନ୍ତି । କଳା ସହ ଜଡିତ ପରିବାରରେ ଜନ୍ମ ନେଇ ଥିଲେ ଝରଣା ଦାସ । ଝରଣା ଦାସଙ୍କ ବାପା, କଳା ଆଦି ସଙ୍ଗୀତ ସାଧକ ଥିବା ସହ ବିଭିନ୍ନ ବାଦ୍ୟଯନ୍ତ୍ରରେ ନିପୁଣ ଥିଲେ । ତାଙ୍କ ମା ଜଣେ ଲେଖିକା ଥିଲେ । ଆଉ ମା ଲେଖିଥିବା ନାଟକରେ ସମସ୍ତେ ଭାଇଭଉଣୀ ମିଶି ଅଭିନୟ କରୁଥିଲେ । ଜଣେ ଶିଶୁ କଳାକାର ଭାବେ କଟକ ଆକାଶବାଣୀରୁ ଅଭିନୟ ଆରମ୍ଭ କରିଥିଲେ ଝରଣା ଦାସ । ୧୯୬୪ ମସିହାରେ ନିର୍ମିତ ଅମଡା ବାଟ ଫିଲ୍ମରୁ ସେ ପ୍ରଥମ ଥର ପାଇଁ ଓଡିଆ ସିନେ ଜଗତରେ ପାଦ ଥାପି ଥିଲେ । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟତା ସାଉଁଂଟି ଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡିତ ଥିଲେ । ଅମଡାବାଟ, ମଲା ଜହ୍ନ, ଅଦିନ ମେଘ ଆଦି ତାଙ୍କର ଚର୍ଚ୍ଚିତ ଫିଲ୍ମ । ତାଙ୍କର ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଅନେକ ଓଲିଉଡ୍ କଳାକାର ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ କରାଯାଇଛି । ୧୯୯୭ ଜୟଦେବ ପୁରସ୍କାର, ୨୦୧୧ରେ ଓଡିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ, ୨୦୧୧ରେ ଓଡିଶା ସୋସାଇଟି ଅଫ ଆମେରିକା ସମ୍ମାନ, ୨୦୧୬ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି ।

You May Also Like

More From Author

+ There are no comments

Add yours