ଖାଉଟିଙ୍କ ଉପରେ ଗହମ ଛାଟ


ଦେଶରେ ମୁଦ୍ରସ୍ପୀତି ହ୍ରାସ ପାଉଛି । ଏହା ସତ୍ୱେ ବି ଦରବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ନାହିଁ । ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରରେ ସଂରକ୍ଷିତ ଶସ୍ୟ ପରିମାଣ ଦିନକୁ ଦିନ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଗହମ ମୂଲ୍ୟ ଆହୁରି ବଢିପାରେ ବୋଲି କୁହାଯାଉଛି । ମେ ମାସ ଠାରୁ ଗହମ ମୂଲ୍ୟ ୨୧% ବଢିଛି । ଗତ ବର୍ଷ ସହ ବର୍ତମାନର କଥା ତୁଳନା କଲେ ସରକାରୀ ଗୋଦାମରେ ଗହମ ଷ୍ଟକ ଅଧାରେ ପହଂଚିଛି । ଏଥିଯୋଗୁଁ ବଜାରରେ ଆଗାମୀ ଦିନରେ ଚାହିଦା ଏବଂ ଯୋଗାଣଜନିତ ସମସ୍ୟା ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି । ଏବେ ଅଟା କିଲୋ ୪୫ ଟଙ୍କାରେ ପହଂଚିଲାଣି । ଗହମ ମୂଲ୍ୟ ବୃଦ୍ଧି ପାଇଲେ ଏହା ଆହୁରି ବଢିବ ବୋଲି କୁହାଯାଉଛି । ଫଳରେ ରୁଟି ଉପରେ ନିର୍ଭରଶୀଳ ଦେଶର ଅଧିକାଂଶ ଗରିବ ଲୋକଙ୍କ ପେଟ କେମିତି ଭରିବ ତାହା ଏବେ ବଡ ଚିନ୍ତାର ବିଷୟ ହୋଇଛି । ଚଳିତ ବର୍ଷ ମେ ମାସ ଠାରୁ ଦେଶରେ ଗହମ ମୂଲ୍ୟ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଗୋଟିଏ ପଟେ ବଜାରରେ ଅଟା ଦର ଅଣାୟତ ହେଉଥିବାରୁ କେନ୍ଦ୍ର ସରକାର ମୂଲ୍ୟ ନିୟନ୍ତ୍ରଣ କରିବାକୁ ଖୋଲା ବଜାରରେ ଗହମ ବିକିବାକୁ ଯୋଜନା କରୁଛନ୍ତି । ଅନ୍ୟପଟେ ସରକାରୀ ଗୋଦାମ ଖାଲି ହେବାରେ ଲାଗିଛି । ସରକାରୀ ଗୋଦାମ ଗୁଡିକରେ ଗହମ ଷ୍ଟକ୍ ପରିମାଣ ଅଧା ହୋଇଗଲାଣି । ତେଣୁ ଖୋଲା ବଜାରରେ ଗହମ ବିକିବାକୁ ଯୋଜନା କରୁଥିବା କେନ୍ଦ୍ରର ଏକ ଫମ୍ପା ଘୋଷଣା ହୋଇପାରେ ବୋଲି ଅର୍ଥନୀତିଜ୍ଞମାନେ ମନେ କରୁଛନ୍ତି । ନୂଆ ଫସଲ ଆସିବାକୁ ଆହୁରି ୫ ମାସ ରହିଥିବାରୁ ସେତେବେଳକୁ ଅଟା ଦର କେତେରେ ପଂହଚିବ ତାହା ଏବେଠୁ ଆକଳନ କରିବା ଅସମ୍ଭବ । କେନ୍ଦ୍ର ସରକାରଙ୍କ ଗୋଦାମରେ ଚଳିତ ମାସ ଆରମ୍ଭରେ ୨୧ କୋଟି ଟନ୍ ଗହମ ଷ୍ଟକ୍ ରହିଥିଲା ।ଯାହା ଗତବର୍ଷ ନଭେମ୍ବର ପହିଲାରେ ୪୨ କୋଟି ଟନ ଥିଲା । ତେବେ ଖାଉଟିଙ୍କ ଉପରେ ଲଗାତାର ଖାଦ୍ୟାଭାବ ତଥା ଦରବୃଦ୍ଧିର ଛାଟ ପଡିଲା ପରେ ଖାଉଟିଙ୍କ ବଂଚିବା ଉପରେ ଉଠୁଛି ଏକ ବଡ଼ ପ୍ରଶ୍ନ ।

You May Also Like

More From Author

+ There are no comments

Add yours