ପଦ୍ମପୁର ବାଜି,କଂଗ୍ରେସ ଗଢିଲା କମିଟି,ବିଜେଡିର କାଲି ବୈଠକ

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସହ ରାଜନୀତିକ ଦଳଗୁଡ଼ିକ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି । ପଦ୍ମପୁର ପାଇଁ ଦଳୀୟ ପ୍ରାର୍ଥୀ ଚୟନ କରିବା ନିମନ୍ତେ ପ୍ରଦେଶ କଂଗ୍ରେସ ଆଜି ନିଜର ଏକ କମିଟି ଗଠନ କରିଛି । ସେପଟେ ବିଜେପି ଖୁବଶୀଘ୍ର ନିଜର ପ୍ରାର୍ଥୀ ଚୟନ କରିବ ବୋଲି କହିଛି । ଏପଟେ ବିଜେଡି ନିଜର ପ୍ରାର୍ଥୀ ଚୟନ ନିମନ୍ତେ ଆସନ୍ତାକାଲି ପୂର୍ବାହ୍ନରେ ବରଗଡ଼ ଜିଲ୍ଲାର ସମସ୍ତ ଦଳୀୟ ପର୍ଯ୍ୟବେକ୍ଷକ, ବିଧାୟକ ଓ ମନ୍ତ୍ରୀଙ୍କ ବୈଠକ ଡାକିଥିବା ଜଣାପଡ଼ିଛି । ସେହିପରି କଂଗ୍ରେସ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଏହି କମିଟିରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ଓ ଏସ୍ ରାଜନ ଏକ୍କା ଅଛନ୍ତି । କମିଟି ପଦ୍ମପୁର ଗସ୍ତ କରି ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ବାଛି ପିସିସି ନିକଟକୁ ପଠାଇବ । ଦଳର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ପଦ୍ମପୁରରେ ଦଳର ବରିଷ୍ଠ ନେତା ସତ୍ୟଭୂଷଣ ସାହୁ ଅଛନ୍ତି । ସେ ପୂର୍ବରୁ ବିଧାୟକ ଓ ଦଳର ସଚେତକ ହିସାବରେ କାମ କରିଛନ୍ତି । ସେଠାରେ କଂଗ୍ରେସ ଭଲ କରିବ । ଅବଶ୍ୟ କିଏ ପ୍ରାର୍ଥୀ ହେବ ତାହା ହାଇକମାଣ୍ଡ ବିଚାର କରିବେ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ସେହିପରି ବିଜେଡିର ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ କହିଛନ୍ତି ଯେ, ପ୍ରାର୍ଥୀ ଚୟନର ମାଲିକ ହେଉଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରାର୍ଥୀ କିଏ ହେବ ଖୁବଶୀଘ୍ର ଜଣାପଡ଼ିବ । ପଦ୍ମପୁରରେ ବିଜେଡି ଭଲ ବ୍ୟବଧାନରେ ଜିତିବ ।

ପଦ୍ମପୁର ଉପନିର୍ବାଚନ ପ୍ରସଙ୍ଗରେ ଆଲୋଚନା ନିମନ୍ତେ ବରଗଡ଼ ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ ଓ ମନ୍ତ୍ରୀଙ୍କ ସମେତ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡକାଯାଇଛି । ସମସ୍ତ ବିଜେଡି ନେତାମାନଙ୍କୁ ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହିବାକୁ କୁହାଯାଇଛି । ଏହି ବୈଠକରେ ବରଗଡ଼ ଜିଲ୍ଲାର ମନ୍ତ୍ରୀ ରୀତା ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ସୁଶାନ୍ତ ସିଂ ଓ ଦେବେଶ ଆଚାର୍ଯ୍ୟଙ୍କ ସମେତ ପର୍ଯ୍ୟବେକ୍ଷକ ସୁଧୀର ସାମଲ, ପଦ୍ମପୁର ବିଧାନସଭା ମଣ୍ଡଳୀ ନିମନ୍ତେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ, ରାଜେନ୍ଦ୍ର ଠୋଲକିଆ, ନିରଞ୍ଜନ ପୂଜାରୀ, ନବ କିଶୋର ଦାସ, ସରୋଜ ମେହେର ଓ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସାମିଲ ହେବେ । ବୈଠକରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଡିସେମ୍ବର ୫ତାରିଖରେ ପଦ୍ମପୁର ଆସନ ନିମନ୍ତେ ଭୋଟଗ୍ରହଣ ହେବ । ନଭେମ୍ବର ୧୦ରେ ବିଧିବଦ୍ଧ ବିଜ୍ଞପ୍ତି, ୧୭ରେ ନାମାଙ୍କନ ପତ୍ର ଦାଖଲ ଶେଷ, ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଡିସେମ୍ବର ୮ତାରିଖରେ ଫଳାଫଳ ଘୋଷଣା ହେବ । ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି

You May Also Like

More From Author

+ There are no comments

Add yours