ଆସନ୍ତା ଜାନୁଆରୀ ୨୦୨୩ ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଚଳିତ ନଭେମ୍ବରରେ ମେକ ଇନ ଓଡିଶା କନକ୍ଳେଭ ଆୟୋଜିତ ହେବ I ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି I ଏହି କ୍ରମରେ କ୍ରୀଡ଼ା ଓ ଆଇଟି ଭିତ୍ତିଭୂମିର ବିକାଶ ଏବଂ ୫ଟି ଉପକ୍ରମ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି Iକ୍ରୀଡ଼ା ଓ ଯୁବସେବା ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା 2023 ରେ ହେବାକୁ ଥିବା ହକି ବିଶ୍ୱକପ ଆୟୋଜନ ଏବଂ ସୁପରିଚାଳନା ନେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ I ବିଗତ ୨୦୧୮ ହକି ପୁରୁଷ ବିଶ୍ୱକପ ସଫଳତାକୁ ପାଥେୟ କରି ଏଥର ବିଶ୍ୱକପକୁ ଅଧିକ ସଫଳ କରିବା ପାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମିଳିତ ଉଦ୍ୟମ ଓ ପ୍ରଚେଷ୍ଟା ଲୋଡ଼ା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେI ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଆଜି ଓଡ଼ିଶା ସମଗ୍ର ବିଶ୍ୱରେ ଏକ କ୍ରୀଡ଼ା ହବର ମାନ୍ୟତା ହାସଲ କରିପାରିଛି I ଅନେକ ଗୁଡିଏ ମେଗା ଇଭେଣ୍ଟ ଆୟୋଜନ ସହ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି I ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ I ଆଜିର ବୈଠକରେ ମନ୍ତ୍ରୀ ରାଉରକେଲା ସ୍ଥିତ ହକି ତାଲିମ କେନ୍ଦ୍ର ସ୍ଥିତି ସମ୍ପର୍କରେ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଵା ସହ ବିଭିନ୍ନ ଜିଲ୍ଲାରେ ଥିବା ସମନ୍ବିତ କ୍ରୀଡ଼ା କେନ୍ଦ୍ର, କଳିଙ୍ଗ ସମନ୍ବିତ କ୍ରୀଡ଼ା କେନ୍ଦ୍ର, ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ବିକାଶ, କଳିଙ୍ଗ ଷ୍ଟାଡିୟମ ସମ୍ପ୍ରସାରଣ ପ୍ରକଳ୍ପ, ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଓ କ୍ରୀଡ଼ାବିତଙ୍କ ଦକ୍ଷତା ବିକାଶ ସହ ବିଭାଗର ୫ଟି ଉପକ୍ରମ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ I ଏହି ବୈଠକରେ କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନୀଲ କ୍ରିଷ୍ଣା, ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ରଞ୍ଜିତ ପରିଡା, କୈଳାଶ ଚନ୍ଦ୍ର ଦାସ, ଦିଲ୍ଲୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ

