Wed. Oct 14th, 2026

ବାଲିଯାତ୍ରାକୁ ଆଉ ମାତ୍ର ୫ ଦିନ ବାକି ରହିଲା। ସେଥିପାଇଁ ସଜେଇ ହେଉଛି ବାଲିଯାତ୍ରାପଡିଆ। ହାତରେ କମ୍ ସମୟ ଥିବାରୁ ଜୋରସୋରରେ ଚାଲିଛି ଷ୍ଟଲ ନିର୍ମାଣ କାମ। ତେବେ ବାଲିଯାତ୍ରାରେ ଆକର୍ଷଣ ପାଲଟିଥାଏ ଓରମାସ୍ ଷ୍ଟଲ। ଚଳିତ ବର୍ଷ ୪୨୦ ଷ୍ଟଲ ହେଉଥିବା ବେଳେ ଫୁଡ ଷ୍ଟଲକୁ ଗୁରୁତ୍ବ ଦିଆଯାଇଛି।
ଯେଉଁଥିରେ ଓଡିଆ ପର୍ବପର୍ବାଣୀରେ ହେଉଥିବା ପାରମ୍ପରିକ ଖାଦ୍ୟ ଉପଲବ୍ଧ ହେବ। ଖାଦ୍ୟ ବିନା କଟକ ବାଲିଯାତ୍ରା ଅଧୁରା। ଯାତ୍ରା ବୁଲିବାକୁ ଆସୁଥିବା ଲୋକେ କିଣାକିଣି ସହ ବିଭିନ୍ନ ଖାଦ୍ୟର ମଜା ନିଅନ୍ତି। ସେଥିପାଇଁ ବାଲିଯାତ୍ରାରେ ସ୍ବତନ୍ତ୍ର ଫୁଡ ଷ୍ଟଲ ଖୋଲିଥାଏ।ଚଳିତ ବର୍ଷ ମଧ୍ୟ ଓରମାସ ପକ୍ଷରୁ କରାଯାଉଥିବା ଷ୍ଟଲରେ ଫୁଡ କୋର୍ଟକୁ ଗୁରୁତ୍ବ ଦିଆଯାଇଛି।

ଯେଉଁଠାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପୋଡ଼ପିଠା, ମଣ୍ଡା ପିଠା, ଏଣ୍ଡୁରି ପିଠା, ଆରିସା, କାକରା ସହ ବିଭିନ୍ନ ପ୍ରକାର ପିଠା ଓ ମିଠା ମିଳିବ। ଗତ ଥର ବାଲିଯାତ୍ରାରେ ୩୮୦ ଷ୍ଟଲ ଥିବାବେଳେ ଚଳିତ ବର୍ଷ ୪୨୦ଟି ଷ୍ଟଲ ଖୋଲାହେବ। ଏହାସହ ୩୦ଟି ଫୁଡ୍ ଷ୍ଟଲ କରାଯାଇଛି। ରାଜ୍ୟର ୩୦ଟି ଜିଲ୍ଲା ସହ ୧୪ଟି ରାଜ୍ୟରୁ ବ୍ୟବସାୟୀମାନେ ଷ୍ଟଲ ଖୋଲିବାକୁ ଯୋଜନା କରିଛନ୍ତି। ଏପଟେ ବାଲିଯାତ୍ରାକୁ ଆଉ ମାତ୍ର ୫ ଦିନ ବାକି ଥିବା ବେଳେ ଷ୍ଟଲ ନିର୍ମାଣ କାମ ଜୋରସୋରରେ ଚାଲିଛି। ବିଳମ୍ବରେ ପ୍ଲଟ ପାଇଥିବାରୁ ଷ୍ଟଲ ନିର୍ମାଣ କାମ ସରିନଥିବା ବ୍ୟବସାୟୀ କହିଛନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ କାମ ସାରିବାକୁ ଦିନରାତି ଏକ କରି ଷ୍ଟଲ ନିର୍ମାଣ କାମହେଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *