Wed. Oct 14th, 2026

ଦେଶର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ଏନଡିଟିଭିର ୨୯ ପ୍ରତିଶତ ଅଂଶଧନ ଅଦାନୀ ଗ୍ରୁପ୍ କିଣି ନେଇଛି। ଏହା ପରଠୁ କଳ୍ପନା ଜଳ୍ପନା ଲାଗି ରହିଛି ଯେ, ଏନଡିଟିଭିରେ ଅଦାନୀ ଗ୍ରୁପ ନିଜର ସ୍ଥିତି ମଜବୁତ ହେବାରୁ ପ୍ରସିଦ୍ଧ ଉପସ୍ଥାପକ ରବିଶ କୁମାର ଟିଭି ଚ୍ୟାନେଲରୁ ଇସ୍ତଫା ଦେଇ ପାରନ୍ତି। ଏହା ମଧ୍ୟରେ ରବିଶ କୁମାର ଇସାରା ଇସାରାରେ ଏମିତି ଚର୍ଚ୍ଚା ଉପରେ ନିଜର ଜବାବ ରଖିଛନ୍ତି।

ନିଜର ସ୍ବତନ୍ତ୍ର ଶୈଳୀରେ ଟୁଇଟ୍ କରି ସେ ସବୁ କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇଛନ୍ତି। ରବିଶ କୁମାର ଲେଖିଛନ୍ତି, ମାନନୀୟ ଜନତା, ମୋର ଇସ୍ତଫା କଥା ଠିକ ସେହି ପରି, ଯେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ ଇଣ୍ଟରଭ୍ୟୁ ଦେବାକୁ ପ୍ରସ୍ତୁତ ହୋଇଗଲେ। ଆଉ ଅକ୍ଷୟ କୁମାର ବମ୍ବେର ଆମ୍ବ ନେଇ ଗେଟରେ ମୋର ଅପେକ୍ଷା କରିଛନ୍ତି। କେବଳ ଏତିକି ନୁହେଁ ରବିଶ କୁମାର ନିଜକୁ ଦୁନିଆର ପ୍ରଥମ ଏବଂ ସବୁଠୁ ମହଙ୍ଗା ଜିରୋ ଟିଆରପି ଆଙ୍କର କହିଛନ୍ତି। ତାଙ୍କର ଏହି ଟୁଇଟକୁ ବଡ ସଂଖ୍ୟାରେ ଲୋକେ ରିଟୁଇଟ୍ ମଧ୍ୟ କରିଛନ୍ତି।

ଏନଡିଟିଭିର ଅଂଶଧନ ଅଦାନୀ ଗ୍ରୁପର ହାତକୁ ଯିବା ପରଠୁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ବହୁ ସଂଖ୍ୟାରେ ଲୋକେ ମିମ୍ସ ସେୟାର କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। ବହୁ ସଂଖ୍ୟାରେ ଲୋକେ ରବିଶ କୁମାରଙ୍କୁ ଭଲ ସାମ୍ବାଦିକ ଦର୍ଶାଇ ତାଙ୍କର ସମର୍ଥନ ମଧ୍ୟ କରୁଛନ୍ତି। ଅନ୍ୟପଟେ ଏମିତି ଏକ ବର୍ଗ ଅଛନ୍ତି, ଯେଉଁ ମାନେ ପ୍ରଶ୍ନ କରୁଛନ୍ତି ଯେ, ଏବେ ରବିଶ କୁମାର କଣ କରିବେ।

ଏସବୁ ମଧ୍ୟରେ ନିଜ ମତ ରଖି ରବିଶ କୁମାର ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ସ୍ପଷ୍ଟ କରିଛନ୍ତି ଯେ, ରବିଶ କୁମାର ଏନଡିଟିଭିରେ ହିଁ ରହିବେ। ଏହି ସବୁ ଚର୍ଚ୍ଚା ମଧ୍ୟରେ ଏନଡିଟିଭିର ସେୟାରରେ ବଡ ବୃଦ୍ଧି ଦେଖିବାକୁ ମିଳିଛି। ମଙ୍ଗଳବାର ଏନଡିଟିଭିର ସେୟାର ୩୬୬ ଟଙ୍କାରେ ବନ୍ଦ ରହିଥିଲା, ମାତ୍ର ବୁଧବାର ସକାଳୁ ଏଥିରେ ବୃଦ୍ଧି ଦେଖିବାକୁ ମିଳିଛି। ବର୍ତ୍ତମାନ ଏହା ୩୮୮ ଟଙ୍କାରେ ଟ୍ରେଣ୍ଡ କରୁଛି। ଏନଡିଟିଭିର ସେୟାରରେ ଚଳିତ ବର୍ଷ ୩୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *