
ମହାବାହୁଙ୍କ ମାନବୀୟ ଲୀଳାରେ ସବୁ ଅସମ୍ଭବ ସମ୍ଭବ ହୋଇଥାଏ। ସାଧାରଣ ମଣିଷକୁ ଜର ହେଲେ ଯେମିତି ଡାକ୍ତର ଙ୍କ ଦ୍ଵାରା ଚିକିତ୍ସିତ ହୋଇଥାଏ, ଠିକ୍ ସେମିତି ମହାବାହୁ ଙ୍କୁ ଜ୍ଵର ହେଲେ ବୈଦ୍ୟଙ୍କ ଜଡ଼ିବୁଟି ରେ ଚିକିତ୍ସିତ ହୁଅନ୍ତି । ଅନବସର ସମୟରେ ଏହି ଗୁପ୍ତ ନୀତି ପ୍ରତିପାଦନ ହୋଇଥାଏ । ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡ଼ିତ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ମହାପ୍ରଭୁଙ୍କ ଜ୍ଵର ଭଲ ହେବାଲଗି ଦଇତାପତି ସେବକ ମାନେ ସବୁ ସେବା କରିଥାନ୍ତି। ତେବେ ମହାପ୍ରଭୁଙ୍କ ଭୀଷଣ ଜ୍ୱରକୁ ନିୟନ୍ତ୍ରଣ କରିବା ତଥା ଜ୍ଵର ପୀଡ଼ା ରୁ ଲାଘବ କରିବା ଲାଗି ମହାପ୍ରଭୁଙ୍କୁ ଲାଗି କରାଯାଏ ଫୁଲୁରୀ ତେଲ। ଯେଉଁ ତେଲ ଲଗାଇବା ପରେ ଧିରେ ଧିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ଵର କମିଥାଏ। ଅଣସର ଗୃହରେ କ୍ଷୀଣ ଆଲୋକରେ ଦଇତାପତି ଓ ପତି ମହାପାତ୍ର ସେବକଙ୍କ ଦ୍ୱାରା ଗୁପ୍ତସେବା ଚାଲିଥିବାବେଳେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଏ ଫୁଲୁରି ତେଲ । ତେବେ ଏହି ତେଲକୁ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ। ବର୍ଷକ ତଳୁ ଘଣା ପେଡ଼ା ରାଶି ତେଲରେ ବିଭିନ୍ନ ପ୍ରକାର ସୁବାସିତ ଫୁଲ, କର୍ପୁର, ଔଷଧୀୟ ଚେରମୂଳ ଓ ସୁବାସିତ ଦ୍ରବ୍ୟ ପଡ଼ି ଏହାକୁ ମାଟି ତଳେ ପୋତାଯାଇ ପ୍ରସ୍ତୁତ କରାଯାଇଥାଏ । ଅନବସର ପଞ୍ଚମୀ ଦିନ ମହାପ୍ରଭୁଙ୍କ ଠାରୁ ଓଦା ବସ୍ତ୍ର ଓଲାଗି କରାଯାଏ। ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପର୍ଣ୍ଣ ପରେ ପତି ମହାପାତ୍ର ସେବକ ଏହାକୁ ସଂସ୍କାର କରି ଦଇତାପତିଙ୍କୁ ଯୋଗାଇ ଦେବା ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ଲେପନ କରିଥାନ୍ତି । ଆଉ ଏହି ଫୁଲୁରି ତେଲ ଶ୍ରୀଅଙ୍ଗରେ ଲାଗିବା ପରେ ଜ୍ଵର ପୀଡ଼ା କମିବା ସହ ମହାବାହୁ ଧିରେ ଧିରେ ସୁସ୍ଥ ହୋଇଥାନ୍ତି।