ବଢୁଥିବା ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ଅର୍ଥନୀତି ଶ୍ରୀଲଙ୍କାରେ ନିତବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଆକାଶଛୁଆଁ କରିଛି। ଅର୍ଥନୈତିକ ଅବନତିର ସମ୍ମୁଖୀନ ହୋଇ ଦ୍ୱୀପପୁଞ୍ଜର ଲୋକମାନେ ଇନ୍ଧନ, ଖାଦ୍ୟ ଏବଂ ଔଷଧ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ରହୁଛନ୍ତି। ଚାହିଦା ଅନୁସାରେ ଜିନିଷ ନଥିବାରୁ ଅନେକେ ଖାଲି ହାତରେ ଫେରିବାକୁ ବାଧ୍ୟ ହେଉଛନ୍ତି । ଟଙ୍କା ଥିଲେ ମଧ୍ୟବଜାରରେ ଜିନିଷ ନାହିଁ । ରାଜଧାନୀ କଲମ୍ବୋରେ ଗତ ସପ୍ତାହରେ ପନିପରିବା ଦର ଆକାଶଛୁଅାଁ ଥିଲା । ଏବେ ପୂର୍ବ ଦରଠାରୁ ଦ୍ୱିଗୁଣରେ ବିକ୍ରି ହେଉଛି । ଚାଉଳ କେଜି ୨୨୦ ଏବଂ ଗହମ କେଜି ୧୯୦ଟଙ୍କାରେ ବିକ୍ରି ହେଉଛି । ଏକ କିଲୋଗ୍ରାମ ଚିନିର ଦାମ ୨୪୦ ଟଙ୍କା ଥିବାବେଳେ ନଡ଼ିଆ ତେଲ ଲିଟର ପିଛା ୮୫୦ ଟଙ୍କା ରହିଛି । ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କା, ଏକ କିଲୋଗ୍ରାମ କ୍ଷୀର ପାଉଡର ବର୍ତ୍ତମାନ ୧୯୦୦ ଟଙ୍କାରେ ବିକ୍ରି ହେଉଛି । ଫେବୃଆରୀରେ ଶ୍ରୀଲଙ୍କାର ଖୁଚୁରା ମୁଦ୍ରାସ୍ଫୀତି ୧୭.୫ ପ୍ରତିଶତ ଛୁଇଁଛି । ଖାଦ୍ୟ ମୁଦ୍ରାସ୍ଫୀତି ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଫଳରେ ଖାଦ୍ୟ ଏବଂ ଶସ୍ୟ ମୂଲ୍ୟରେ ବୃଦ୍ଧି ଘଟିଛି। ଶ୍ରୀଲଙ୍କାରେ ଔଷଧ ଏବଂ କ୍ଷୀର ପାଉଡରର ମଧ୍ୟ ଘୋର ଅଭାବ ରହିଛି ।
ଖାଦ ଓ ଅତାବଶ୍ୟକ ସାମଗ୍ରୀର ଘୋର ସଙ୍କଟ ପରେ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ରାଜଧାନୀ ସମେତ ଦେଶର ଅନେକ ଅଞ୍ଚଳରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦେଶରେ ବ୍ୟାପକ ଅସ୍ଥିରତା ଲାଗିରହିଥିବାରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ତଥାପି ବିଦ୍ରୋହ ଲାଗିରହିବାରୁ ସରକାର ୩୬ ଘଣ୍ଟା ପର୍ଯନ୍ତ କର୍ଫ୍ୟୁ ଜାରି କରିଛନ୍ତି ।

