ବାଜିଲା ବେଲ, ଖୋଲିଲା ସ୍କୁଲ

ଭୁବନେଶ୍ୱର: ପୁଣି ବ୍ୟାଗରେ ଭର୍ତ୍ତି ହୋଇଛି ବହି ଖାତା । ୯ ଟା ବାଜିବା କ୍ଷଣି ସ୍କୁଲ ଯିବାକୁ ସଜବାଜ ହୋଇ ବାହାରି ଯାଇଛନ୍ତି ପିଲାଏ । ପିଲାଙ୍କ କୋଳାହଳରେ କମ୍ପିଛି ସ୍କୁଲ କ୍ୟାମ୍ପସ । କାରଣ ଆଜିଠୁ ପୁଣି ଖୋଲିଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ତୃତୀୟ ଲହର ପ୍ରଭାବ କମିବା ପରେ ଆଜିଠୁ ପୁଣି ଥରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ, କଲେଜ ଓ ବିଶ୍ବବିଦ୍ୟାଳୟ,ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢା ଆରମ୍ଭ ହୋଇଛି ।

ରାଜ୍ୟରେ ସବୁ ସରକାରୀ ଓ ଘରୋଇ ସ୍କୁଲର 8ମ ଶ୍ରେଣୀରୁ ଉଚ୍ଚ ଶିକ୍ଷାନୁଷ୍ଠାନ ସମସ୍ତ ଶ୍ରେଣୀ ଗୁଡିକରେ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ଏହା ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିଛି । ରବିବାରଠୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ସମସ୍ତ ହଷ୍ଟେଲଗୁଡ଼ିକ ଖୋଲାଯାଇଛି । କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା କରାଯାଇଛି । ଆଜି ଅଷ୍ଟମରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସକାଳ 10ଟାରୁ 1 ଟା ପର୍ଯ୍ୟନ୍ତ ପାଠପଢା ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ରୁ ଅପରାହ୍ନ ୪ଟା ଯାଏଁ ହେବ । ପିଲାଏ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲକୁ ଆସିବେ । ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବଭଳି ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ମିଳିବ। ତେବେ ଯେଉଁମାନେ ସ୍କୁଲକୁ ଆସିପାରିବେ ନାହିଁ ସେମାନେ ଚାହିଁଲେ ବିକଳ୍ପ ଭାବେ ଅନ୍‌ଲାଇନ୍ ମାଧ୍ୟରେ କ୍ଲାସ କରିବାକୁ ବାଛିବେ । କେଜିରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଲାଗି ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ହିଁ ଅନୁଷ୍ଠିତ ହେବ। ଶ୍ରେଣୀଗୃହରେ ପିଲାଙ୍କ ମଧ୍ୟରେ ୬ ଫୁଟର ଦୂରତା ରକ୍ଷା କରାଯିବ । ଏସଓପି ଅନୁସାରେ କ୍ଲାସ ହେବ ।
ଫେବ୍ରୁଆରି ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନରେ ହେବ କ୍ଲାସ । ରାଜ୍ୟରେ କୋରୋନାର ତୃତୀୟ ଲହର ପ୍ରଭାବ କାରଣରୁ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ସ୍କୁଲ-କଲେଜଗୁଡ଼ିକୁ ବନ୍ଦ କରାଯାଇଥିଲା। ଅଫ୍‌ଲାଇନ୍ ପାଠପଢ଼ା ବନ୍ଦ ସହ ଅନ୍‌ଲାଇନ୍‌ କ୍ଲାସ ଚାଲିଥିଲା ।

https://youtu.be/cUI8P1Nmtbk
Advertise with Sabdaodisha@admin

You May Also Like

More From Author

+ There are no comments

Add yours