“ଉତ୍କଳୀୟ”ରେ ଓଡ଼ିଶା ସଂସ୍କୃତି -ପରମ୍ପରାର ଝଲକ

ଜୟଦେବ ଭବନରେ ପାନାସିଆ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଦଶତମ ପ୍ରତିଷ୍ଠା ଦିବସ ସମାରୋହ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବମୁଖର ପରିବେଶରେ ଶନିବାର ପାଳିତ ହୋଇଯାଇଛି । ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଚାଲିଚଳଣିକୁ ନେଇ ଏହି କାର୍ଯ୍ୟକ୍ରମଟି ସମ୍ପୂର୍ଣରୂପେ ପର୍ଯ୍ୟବେଷିତ ଥିଲା ଓ ଏହାର ଶୀର୍ଷକ ରଖା ଯାଇଥିଲା “ଉତ୍କଳୀୟ” । ଏହି ଅବସରରେ ଓଡିଶାର ସଂସ୍କୃତି, ପରମ୍ପରା ଓ ବେଶଭୁଷାକୁ ନେଇ ଏକ ରାଜ୍ୟସ୍ତରୀୟ ଫ୍ୟାସନ ଶୋ ଏବଂ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର କୋଣ ଅନୁକୋଣରୁ ବିଭିନ୍ନ ଆସିଥିବା ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାର ବିଚାରକ ରୂପେ ନୃତ୍ୟଗୁରୁ ଗୁଲଶନ କୁମାର ଦଳବେହେରା, ନୃତ୍ୟାଙ୍ଗନା ପ୍ରୀତିଚ୍ଛନ୍ଦା ଷଡ଼ଙ୍ଗୀ, ଫ୍ୟାସନ ଫଟୋଗ୍ରାଫର ଅଖିଲ ରଞ୍ଜନ ଓ ଫ୍ୟାସନ ଡିଜାଇନର ଶ୍ରୁତିପ୍ରଜ୍ଞା ସାହୁ ଯୋଗଦେଇଥିଲେ । ସନ୍ଧ୍ୟାରେ ଭରପୂର ଦର୍ଶକଙ୍କ ଗହଣରେ ଆୟୋଜନ ହୋଇଥିଲା ଶୀର୍ଷକ “ଉତ୍କଳୀୟ”କୁ ନେଇ ସଭା, ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ଉପସ୍ଥିତ ଥିଲେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶିଳ୍ପପତି ତଥା ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ମୁଖ୍ୟବକ୍ତା ପ୍ରାକ୍ତନ ପ୍ରଧ୍ୟାପକ ଡ଼ ବସନ୍ତ କୁମାର ପଣ୍ଡା, ସମ୍ମାନିତା ଅତିଥି ପ୍ରାକ୍ତନ ପ୍ରଧ୍ୟାପିକା ଡ଼ ବିଷ୍ଣୁପ୍ରିୟା ଓତା, ବରିଷ୍ଠ ଲେଖିକା ଡ଼ ସୁଷମା ମିଶ୍ର ଓଡ଼ିଆ ଭାଷାର ଗବେଷିକା ଡ଼ ହିମାଦ୍ରୀ ତନୟା ମିଶ୍ର, ପାନାସିଆ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ ବିଶ୍ୱରଞ୍ଜନ ପ୍ରଧାନ ଓ ଉପାଧ୍ୟକ୍ଷା ଡ଼ ସସ୍ମିତା ରାଉତ । ଉପସ୍ଥିତ ଦର୍ଶକ, ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଉଦ୍ଦେଶ୍ୟରେ ନିମନ୍ତ୍ରିତ ଅତିଥିଗଣ “ଉତ୍କଳୀୟ” ଶୀର୍ଷକ ଉପରେ ଅଭିଭାଷଣ ରଖିଥିଲେ । ମୁଖ୍ୟତଃ ଆମ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ କିପରି ଓଡ଼ିଆ ଭାଷାକୁ ହୃଦୟର ସହିତ ଭଲ ପାଇବେ ଓ ଆଦର କରିବେ ସେହି ଉପରେ ଆଲୋକପାତ କରାଯାଇଥିଲା । ଏହି ଆଲୋଚନା ଓ ସଭାକାର୍ଯ୍ୟକୁ ଡ଼ ହିମାଦ୍ରୀ ତନୟା ମିଶ୍ର ସଂଯୋଜନା କରିଥିଲେ । ପାନାସିଆ ଦ୍ୱାରା ୨୦୨୪ ବର୍ଷ ପ୍ରାରମ୍ଭରେ କରାଯାଇଥିବା ବିଭିନ୍ନ ରାଜ୍ୟସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାର ୧୪୮ ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ଏହି ଉତ୍ସବମୁଖର ପରିବେଶରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ଫଳକ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ତାହା ସହିତ କିଛି ଜଣଙ୍କୁ ବିଶେଷ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ଓ ପାଞ୍ଚଗୋଟି ବିଦ୍ୟାଳୟ ଯଥା ଭୁବନେଶ୍ୱରର କଳିଙ୍ଗନଗର ଡ଼ିଏଭି, ପୁରୀରୋଡ଼ ଡ଼ିଏଭି, ବିଜେଇଏମ, ବିକାଶ ଓ ୟଙ୍ଗ ଫୋଏନିକ୍ସର ପ୍ରିନସିପାଲ ମାନଙ୍କୁ ସ୍ୱତନ୍ତ୍ର ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ସନ୍ଧ୍ୟାର ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତ ଅତିଥି ଓ ଦର୍ଶକ ଭରପୂର ଉପଭୋଗ କରିଥିଲେ । ଶିଶୁ କଣ୍ଠଶିଳ୍ପୀ ସିଦ୍ଧିସ୍ନା ବିନ୍ଧାଣୀ ଓଡ଼ିଆ ଭଜନ ଓ ପ୍ରତ୍ୟୁଷା ପ୍ରିୟଦର୍ଶିନୀ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ନୃତ୍ୟଶିଳ୍ପୀ ତମନ୍ନା ଦାଶ ଓ ଆଦ୍ୟାଶା ଚୌଧୁରୀ ସମ୍ବଲପୁରୀ ନୃତ୍ୟ ଏବଂ ଦିଲିଶା ବେହେରା ଓଡ଼ିଆ ଚଳଚିତ୍ର ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ । ବ୍ରୋଡ଼ୱେ ଡ୍ୟାନ୍ସ ସ୍କୁଲ ଓ ଅଭିନ୍ନ ଚିତ୍ରକଳା ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ସମବେତ ନୃତ୍ୟ ପରିବେଷଣ କରିଥିଲେ । ସୌମ୍ୟପ୍ରିୟଦର୍ଶୀ ପ୍ରଧାନ ମଞ୍ଚ ଉପସ୍ଥାପନା କରିବା ସହିତ ଆଧୁନିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷା ଡ଼ ସସ୍ମିତା ରାଉତ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଲୀନା ମିଶ୍ର, ଉପସଭାପତି ଦୀପ୍ତିମୟୀ ମିଶ୍ର, ସମ୍ପାଦିକା ଗୀତାଞ୍ଜଳି ଦାସ, ସହ-ସମ୍ପାଦକ ସନତ କୁମାର ବଟୁ, ସଦସ୍ୟା ଅର୍ଚ୍ଚନା ଚୌଧୁରୀ ଓ ସଂଯୁକ୍ତା ବିଶ୍ୱାଳ ପରିଚାଳନା କରିଥିଲେ ।

You May Also Like

More From Author

+ There are no comments

Add yours