Wed. Oct 14th, 2026

ଦୁର୍ବଳ ହେଉଛି ବିଜେଡି, ଦଳ ଛାଡ଼ୁଛନ୍ତି ହେଭିୱେଟ୍ ନେତା । ଆଜି ଗୋଟିଏ ଦିନରେ ବିଜେଡିକୁ ଲାଗିଛି ତିନି ତିନୋଟି ଝଟକା। ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀଙ୍କ ପରେ ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପ୍ରଥମେ ଅରିନ୍ଦମ ରାୟ, ତାଙ୍କ ପରେ ସିଦ୍ଧାନ୍ତ ମହାପାତ୍ର ଆଉ ଏବେ ଆକାଶ ଦାସ ନାୟକ ଓ ଅନୁଭବ ମହାନ୍ତି ବି ବିଜେଡି ଛାଡ଼ିଛନ୍ତି। ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ ଦେଇନଥିଲା। ଏଥର ବି ଦଳ ତାଙ୍କୁ ଟିକେଟରୁ ବଞ୍ଚିତ କରିଛି। ଏହି କାରଣରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ସେ ନିର୍ବାଚନ ଲଢ଼ିବେ ବୋଲି ଦଳର ସୁପ୍ରିମୋଙ୍କୁ ଜଣାଇବା ପରେ ବି ତାଙ୍କ କଥାକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ସେ କ୍ଷୋଭୋକ୍ତି କରିଛନ୍ତି। ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ବାଭିମାନ ଲାଗି ବିଜେଡି ଛାଡ଼ିଛି କହିଲେ। ସେହିପରି ଆକାଶଙ୍କ ପରେ ଏବେ ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି । ଦଳ ଛାଡ଼ିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଲେଖିଲେ ଚିଠି । କାରଣ ସମ୍ପର୍କରେ ନଲେଖି ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ଚିଠିରେ କରିଛନ୍ତି ଉଲ୍ଲେଖ । ୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଢ଼ି ଲୋକସଭାକୁ ମନୋନୀତ ହୋଇଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ପରେ ପରେ ପାରିବାରିକ ବିବାଦ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଦଳ ଭିତରେ କୋଣଠେସା ହେବା ନେଇ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଅନୁଭବ ଏବେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୁହରି ବିଜେପିରେ ମିଶିଛନ୍ତି ଏହାପୂର୍ବରୁ ଅନୁଭବ ତାଙ୍କ ଘରେ ହୋଲିପର୍ବ ସେଲିବ୍ରେସନ୍ କରିଥିଲେ ଏବଂ ଭର୍ତ୍ତୃହରିଙ୍କ ଆଶୀର୍ବାଦ ନେଇଥିଲେ । ଏପରିକି ନିଜ ଫେସବୁକ ପୋଷ୍ଟରେ ଜୟ ଶ୍ରୀରାମ ଲେଖି ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଥିଲେ ଅନୁଭବ । ଏବେ ବିଜେଡି ଛାଡ଼ିବା ପରେ ବିଜେପିରେ ମିଶିପାରନ୍ତି ବୋଲି ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *