Wed. Oct 14th, 2026

ଏଣିକି ପିଏଚ୍‌.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ବା ଏନ୍‌ଇଟି ସ୍କୋର୍‌ ଆବଶ୍ୟକ ହେବ। ଆଶାୟୀ ଛାତ୍ରୀଛାତ୍ର ଏନ୍‌ଇଟି ପରୀକ୍ଷାରେ ରଖିଥିବା ସ୍କୋର ଅନୁଯାୟୀ ସିଟ୍‌ ମିଳିବ। ପୂର୍ବରୁ ସମସ୍ତ ବିଶ୍ୱବିଦ୍ୟାଳୟ ଭିନ୍ନଭିନ୍ନ ଭାବେ ପିଏଚ୍‌.ଡି. ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରୁଥିଲେ। ଏହାଦ୍ୱାରା ଆଶାୟୀ ଛାତ୍ରୀଛାତ୍ରଙ୍କୁ ଏକାଧିକଥର ପରୀକ୍ଷା ଦେବାକୁ ପଡୁଥିଲା ଏବଂ ଆବେଦନ କରିବା ଏବଂ ପରୀକ୍ଷା ଦେଉଥିବାରୁ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡୁଥିଲା। ପ୍ରବେଶିକା ପରୀକ୍ଷା ଫଳ ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ଛାତ୍ରୀଛାତ୍ରଙ୍କ ଅଭିଯୋଗ ଓ ଅସୁବିଧାକୁ ଦୃଷ୍ଟିରେ ରଖି ଏକକ ପ୍ରବେଶିକା ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ବିଶେଷଜ୍ଞ କମିଟି ସୁପାରିସ ଓ ଏନ୍‌ଇଟି ସ୍କୋର୍‌ ଆଧାରରେ ନାମଲେଖା ପାଇଁ ୟୁଜିସି ନିଷ୍ପତ୍ତି ନେଇଛି। ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ। ବର୍ତ୍ତମାନ ଏନ୍‌ଇଟି ସ୍କୋର ଅନୁଯାୟୀ ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌(ଜେଆର୍‌ଏଫ୍‌) ଓ ସହାୟକ ଅଧ୍ୟାପକ ଚୟନ କରାଯାଉଛି। ଏହି ନିଷ୍ପତ୍ତି ପରେ ଆସନ୍ତା ଜୁନ୍‌ରୁ ଏନ୍‌ଇଟି ଯୋଗ୍ୟତା ହାସଲ କରିଥିବା ଛାତ୍ରୀଛାତ୍ର ତିନୋଟି ବର୍ଗ ପାଇଁ ମନୋନୀତ ହୋଇପାରିବେ। ଏକକାଳୀନ ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌ (ଜେଆର୍‌ଏଫ୍‌), ସହାୟକ ଅଧ୍ୟାପକ ଓ ପିଏଚ୍‌. ଡି. ନାମଲେଖା ପାଇଁ ଯୋଗ୍ୟ ହୋଇପାରିବେ। ଏ ନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିସହିତ ୟୁଜିସି ସଚିବ ମନିଷ ଆର୍‌ ଜୋଶୀ ଗୁରୁବାର ସମସ୍ତ କେନ୍ଦ୍ରୀୟ, ରାଜ୍ୟ, ଡିମ୍‌ଡ ଏବଂ ଘରୋଇ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ଅବଗତ କରାଇଛନ୍ତି। ଗତ ୧୩ ତାରିଖରେ ହୋଇଥିବା ୫୭୮ତମ ବୈଠକରେ କମିଶନ ଏହି ନିଷ୍ପତ୍ତି ନେଇଛି ଓ ୨୦୨୪-୨୫ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବା ପାଇଁ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଯଦି ଏ ନେଇ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର କୌଣସି ସନ୍ଦେହ ରହିଥାଏ, ତେବେ ସେମାନେ net-bureau@ugc.gov.inକୁ ଲେଖି କ୍ଲାରିଫିକେଶନ ମାଗିପାରିବେ।

Leave a Reply

Your email address will not be published. Required fields are marked *