ବିଜୁ ଜନତା ଦଳକୁ ବାଏବାଏ କରିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ଏନେଇ ସେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବିଜୁ ଜନତା ଦଳ ଗଠନ ଦିନଠାରୁ ସେ ଦଳରେ ଥିବାବେଳେ ଆଜି ବିଜେଡ଼ିର ପ୍ରାଥମିକ ସଦସ୍ୟ ପତ୍ରରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ଆଜି ଏକ ପ୍ରେସମିଟରେ ସେ ଦେଇଛନ୍ତି ଏହି ସୂଚନା। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା କହିଛନ୍ତି। ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି। ଆଜି କଟକରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କର ଇସ୍ତଫା ସଂପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆଜି ଚାରିଟା ବେଳେ ଦଳର ସଭାପତିଙ୍କୁ ଏକ ଚିଠି ଲେଖିଛି। ସେଥିରେ ମୁଁ ଦଳରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛି। ଏହାସହ ସେ କହିଛନ୍ତି, ୧୯୯୭ରୁ ବିଜେଡ଼ିରେ ରହିଛନ୍ତି । ବିଜେଡ଼ି ଗଠନ ବେଳେ ବି ତାଙ୍କର ଭୂମିକା ରହିଥିଲା । କିନ୍ତୁ ଏବେ ଦଳର କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗୁନାହିଁ । ଅନେକ ଦିନ ଧରି ସେ ଧୈର୍ଯ୍ୟ ଧରି ରହିଥିଲେ । ଏବେ ଧୈର୍ଯ୍ୟର ସୀମା ଟପିଯାଇଛି । ଭଗ୍ନ ହୃଦୟରେ ଦଳ ଛାଡ଼ିବାକୁ ସେ ନିଷ୍ପତି ନେଇଛନ୍ତି । ସେ ଆଉ ଦଳର ବନ୍ଧନ ଭିତରେ ରହିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ।
ସେହିପରି ତାଙ୍କ ବିରୋଧରେ ଥିବା ମାମଲା ଓ ଚାର୍ଜଫ୍ରେମକୁ ନେଇ ମଧ୍ୟ ସେ ମତ ଦେଇଛନ୍ତି । ସେ କହିଛନ୍ତିଯେ, ବିଜେଡ଼ି ସରକାର ବିଜେଡ଼ି ସାଂସଦଙ୍କ ବିରୋଧରେ ମାମଲା କରିଥିଲେ । ୧୩ ବର୍ଷ ପରେ ଚାର୍ଜଫ୍ରେମ କରାଯାଇଛି । ଏହା କାକତାଳୀୟ ବୋଲି ସେ ଇଂଗିତ କରିଛନ୍ତି । ତେବେ ପରବର୍ତୀ ରାଜନୀତିକ କାର୍ଯ୍ୟକ୍ରମ କ’ଣ ରହିବ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି । ଅପରପକ୍ଷରେ ବିଜେଡ଼ି ଓ ବିଜେପି ମଧ୍ୟରେ ଏକ ଅନୈତିକ ମେଂଟ ହେବାକୁ ଯାଉଥିଲା । ତାହା କିନ୍ତୁ ହେଲାନାହିଁ । ଏହା ଗଣତନ୍ତ୍ର ପାଇଁ ଶୁଭ ସଂକେତ ବୋଲି ମହତାବ କହିଛନ୍ତି ।
ତେବେ ତାଙ୍କର ଇସ୍ତଫା ନେଇ ଓଡିଶା ରାଜନୀତିରେ ଚର୍ଚ୍ଚା ଜୋର ହେବାରେ ଲାଗିଛି। କାରଣ ତାଙ୍କୁ ଏଥର ଦଳ ଟିକେଟ ଦେବ ନାହିଁ ବୋଲି ସେ ନିଶ୍ଚିତ ଅବଗତ ହୋଇପାରିଛନ୍ତି। ସେଥିପାଇଁ ସେ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ଗତଥର ମଧ୍ୟ ତାଙ୍କୁ ଦଳ ଟିକେଟ ଦେବ କି ନାହିଁ ଚିନ୍ତା କରିଥିଲା। ହେଲେ ଶେଷରେ ତାଙ୍କୁ ଦଳ ଟିକେଟ ଦେଇଥିଲା। ଏବେ ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି।