Wed. Oct 14th, 2026

ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହରିୟାଣା ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବେ ନାୟବ ସିଂହ ସୈନୀ। ଆଜି ବିଧାୟକ ଦଳର ବୈଠକ ଥିବା ବେ‌ଳେ ନାୟବ ସିଂହ ସୈନୀ ବିଧାୟକ ଦଳ ନେତା ହୋଇଛନ୍ତି। କୁହାଯାଉଛି ଯେ, ଆଜି ସନ୍ଧ୍ୟା ୫ଟା ବେଳେ ନାୟବ ସିଂହ ସୈନୀ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ୫ଟି ନୂଆ ଚେହେରା ମଧ୍ୟ କ୍ୟାବିନେଟରେ ଯୋଗ ଦେବେ ବୋଲି କୁହାଯାଉଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଚଣ୍ଡିଗଡରେ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ କୁରୁକ୍ଷେତ୍ରର ସାଂସଦ ତଥା ବିଜେପି ସଭାପତି ନାୟବ ସିଂହ ସୈନୀଙ୍କ ନାମକୁ ସହମତି ଦିଆଯାଇଥିଲା । ୫୪ ବର୍ଷିୟ ନାୟବ ସିଂହ ସୈନୀଙ୍କ ବିଷୟରେ କହିବାକୁ ଗଲେ ସେ ଅମ୍ବାଲା ଜିଲ୍ଲାର ନାରାୟଣଗଡରେ ଥିବ‌ା ମିର୍ଜାପୁର ଗାଁର ବାସିନ୍ଦା। ମିରଟରେ ଚୌଧରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ସେ ଓକିଲାତି ପାଠ ପଢ଼ିଛନ୍ତି। ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ନାୟବ ସୈନୀ ୨୦୧୪ରେ ପ୍ରଥମ ଥର ପାଇଁ ଅମ୍ବାଲା ଜିଲ୍ଲାର ନାରାୟଣଗଡ ବିଧାନସଭାରୁ ବିଧାୟକ ହୋଇଥିଲେ। ପରେ ସେ ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଠାରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ନିର୍ମଳ ସିଂଙ୍କୁ ୩ଲକ୍ଷ ୮୪ହଜାର ୫୯୧ ଭୋଟ ବ୍ୟବଧାନରେ ପରାସ୍ତ କରି ଜିତିଥିଲେ। ଏବେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ବଡ଼ ଦାୟିତ୍ବ ମିଳିଛି।

Leave a Reply

Your email address will not be published. Required fields are marked *