Wed. Oct 14th, 2026

ED ରାଜନେତାଙ୍କ ଚାଲିଛି ଲୁଚକାଳି ଖେଳ। ଗୋଟିଏ ପଟେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଉଗୋଟିଏ ପଟେ ବିଭିନ୍ନ ମୁଣ୍ଡିଆଳ ନେତାଙ୍କୁ ଇଡିର ଡାକରା ଚିନ୍ତା ବଢେଇଛି। ଗତ କିଛି ଦିନ ହେବ ଇଡି ସହ ଲୁଚକାଳି ଖେଳୁଛନ୍ତି ନେତା। ସେ ଆପ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କଥା କୁହନ୍ତୁ କି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କ କଥା କୁହନ୍ତୁ। ଦିଲ୍ଲୀ ମଦନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାରି ଚାରିଥର ନୋଟିସ ଦେବା ପରେ ମଧ୍ୟ ସେ ହଜାର ହେଉ ନାହାନ୍ତି।ଜାରି ହୋଇଥିବା ସମନ ବେଆଇନ ବୋଲି ଦର୍ଶାଇଥିଲେ କେଜ୍ରିଓ୍ବାଲ। ଏହା ତାଙ୍କୁ ବାନ୍ଧିବା ପାଇଁ ଫନ୍ଦି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
ଏହି ବହୁଚର୍ଚ୍ଚିତ ମାମଲାରେ କେଜ୍ରିଓ୍ବାଲ ସେ ଅଭିଯୁକ୍ତ ହୋଇ ନଥିଲେ ବି ତାଙ୍କୁ ବିଜେପି ସରକାର ବାନ୍ଧିବା ପାଇ ବାରମ୍ବାର ଇଡି ଜରିଆରେ ନୋଟିସ ଜାରି କରୁଛୁ ବୋଲି ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି। ଜେରା ପରେ କେଜ୍ରିଓ୍ବାଲଙ୍କୁ ଗିରଫ କରିବା ନେଇ ବାରମ୍ବାର ଆଶଙ୍କା ପ୍ରକାଶ ପାଉଛି । ପୂର୍ବରୁ ଏହି ମଦ ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ରେ ଗିରଫ ହୋଇଥିଲେ ଆପ ନେତା ତଥା ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେହିପରି ଗତବର୍ଷ ଅକ୍ଟୋବର ୪ରେ ଆପ୍ ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି।
ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ୭ ଥର ସମନ କରିଥିଲେ ମଧ୍ୟ ସେ ହଜାର ହୋଇ ନଥିଲେ। ଗତ ଜାନୁଆରୀ ୨ରେ ତାଙ୍କୁ ସମନ ପଠାଇବାର କାରଣ ପଚାରିବା ସହ ଇଡି ଉପରେ ପ୍ରଶ୍ନ ଉଠାଇଥିଲେ ହେମନ୍ତ। ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଏହି ସମନ ପଠାଯାଉଛି। ସମନ ପାଇଁ ତାଙ୍କୁ ବାରମ୍ବାର ମିଡିଆ ଟ୍ରାଏଲର ସାମ୍ନା କରିବାକୁ ପଡୁଛି। ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଇଡିକୁ ଚିଠି ଲେଖି କହିଥିଲେ।ବାରମ୍ବାର ସମନ କରିବା ସତ୍ୱେ ସୋରେନ ହଜାର ନହେବାରୁ ଶେଷରେ ତାଙ୍କ ଘରେ ପହଞ୍ଚିଛି ଇଡିର ଏକ ଟିମ୍‌ । ଏହାସହ ଜମି ବଦଳରେ ରେଳବାଇରେ ଚାକିରି ଦୁର୍ନୀତି ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତଥା ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପୁଣି ଥରେ ନୋଟିସ୍ ପଠାଇ ଇଡିର ପାଟନା ସ୍ଥିତ ଅଫିସ୍‌ରେ ହାଜର ହେବା ପାଇଁ କହିଛି।ଲାଲୁଙ୍କୁ ଜାନୁଆରୀ ୨୯ ତାରିଖରେ ହାଜର ହେବାକୁ କୁହାଯାଇଛି ଏବଂ ତେଜସ୍ୱୀଙ୍କୁ ଜାନୁଆରୀ ୩୦ ତାରିଖରେ ହାଜର ହେବା ପାଇଁ କୁହାଯାଇଛି। ଏହି ମାମଲାରେ ପୂର୍ବରୁ ଇଡି ଉଭୟ ଲାଲୁ ଓ ତେଜସ୍ୱୀଙ୍କୁ ସମନ ଜାରି କରିଥିଲେ ମଧ୍ୟ ସେମାନେ ହାଜର ହୋଇ ନଥିଲେ।
ସେହିପରି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ନେତା କବିତାଙ୍କୁ ଦିଲ୍ଲୀ ମଦ ନୀତି ମାମଲାରେ ଇଡି ସମନ ଜାରି କରିଛି। ଜାନୁଆରୀ ୧୬ରେ ଏହି ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ଡାକିଛି। ଏହା ପୂର୍ବରୁ ମାର୍ଚ୍ଚ ଏବଂ ସେପ୍ଟେମ୍ବର ୨୦୨୩ରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ କେ. କବିତାଙ୍କୁ ଇଡି ସମନ ପଠାଇଥିଲା। କିନ୍ତୁ ସେ ହଜାର ହୋଇନଥିଲେ। କ୍ରିକେଟ ଆସୋସିଏସନରେ ଆର୍ଥିକ ଦୁର୍ନୀତି ନେଇ ଚଳିତ ମାସରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ ଦେଇଥିଲା ଇଡି। ହେଲେ ସେ ମଧ୍ୟ ହେଲେ ନାହିଁ ହଜାର।ଜମ୍ମୁକାଶ୍ମୀର କ୍ରିକେଟ ଆସୋସିଏସନର ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ନିର୍ବାଚନ ହାରିବା ଭୟରେ ବିରୋଧୀ ଦଳକୁ ଦୁର୍ବଳ କରିବା ପାଇଁ ଏହା ବିଜେପିର ନୂଆ ଯୋଜନା ବୋଲି ବିରୋଧୀ କହୁଛନ୍ତି।

Leave a Reply

Your email address will not be published. Required fields are marked *