ଅଯୋଧ୍ୟା ରାମ ମନ୍ଦିରରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା। ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖନାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଆଜି ଅଯୋଧ୍ୟାରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭଗବାନ ରାମଲାଲା ନିଜର ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି।
ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି। ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ପ୍ରାଣ ପ୍ରତିଷ୍ଠା ରୀତିନୀତି ଅରମ୍ଭ ହୋଇଥିଲା। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପିଏମ ମୋଦି କ୍ରିମ ରଙ୍ଗର କୁର୍ତ୍ତା ଏବଂ ଧୋତି ପିନ୍ଧିଛନ୍ତି। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦି ରାମଲାଲାଙ୍କ ପାଇଁ ଏକ ରୂପା ମୁକୁଟ ନେଇ ଆସିଥିଲେ। ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ରାମଲାଲାଙ୍କୁ ପ୍ରଥମ ଆଳତି କରିବା ସହ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ।ପ୍ରଧାନମନ୍ତ୍ରୀ ମୋଦି ଗର୍ଭଗୃହରୁ ବାହାରିଛନ୍ତି। ଗର୍ଭଗୃହର ଛାଡିବାବେଳେ ଶଙ୍କରାଚାର୍ଯ୍ୟ ବାସୁଦେବନନ୍ଦ ମହାରାଜ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସୁନା ମୁଦି ଉପହାର ଦେଇଥିଲେ ଏବଂ ଅନ୍ୟ ଜଣେ ସାଧୁ ତାଙ୍କୁ ତୁଲସୀ ମାଲ୍ୟାର୍ପଣ କରିଥିଲେ। ଅନ୍ୟ ଜଣେ ସାଧୁ ପିଏମ ମୋଦିଙ୍କୁ ଏକ ସୁନା ମୁଦି ଦେଇଛନ୍ତି। ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ।