Wed. Oct 14th, 2026

ଧାରା ୩୭୦ ଉଚ୍ଛେଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ। ଜମ୍ମୁ କଶ୍ମୀରରୁ ଏହି ଧାରା ଉଚ୍ଛେଦ କରି କୌଣସି ଭୁଲ୍ କରିନାହାନ୍ତି କେନ୍ଦ୍ର ସରକାର। ଧାରା ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ବୈଧ ଓ ଆଇନ ସମ୍ମତ କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ। କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ NC, PDP ସମେତ ଏକାଧିକ ଆବେଦନକାରୀ।

ଏହି ମାମଲା ଉପରେ ଶୁଣାଣି କରି ଐତିହାସିକ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଅଦାଲତର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବା ନିଷ୍ପତ୍ତି ବେଆଇନ ନୁହଁ ବୋଲି ଅଦାଲତ ପ୍ରକାଶ କରିଛନ୍ତି। କିନ୍ତୁ ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ କହିଛନ୍ତି ଯେ, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ରହିବ। କିନ୍ତୁ ତୁରନ୍ତ ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ମିଳୁ। ଏଥିସହ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ କଶ୍ମୀରରେ ସାଧାରଣ ନିର୍ବାଚନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ସମୟରେ ଖଣ୍ଡପୀଠ କହିଛନ୍ତି, ସମ୍ବିଧାନରେ ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା।

ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ସାର୍ବଭୌମତ୍ୱ ବଜାୟ ରଖି ପାରିବ ନାହିଁ। ତେବେ ଦୀର୍ଘ ଦିନ ଧରି ଏହି ମାମଲା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ଆଜି ମାମଲାର ଅନ୍ତିମ ରାୟ ପ୍ରକାଶ ପାଇଛି। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ହୋଇଥିଲା। ଏହାପରେ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ପରିବର୍ତ୍ତେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିଥିଲା। ଏଥିସହ ଲଦାଖ ମଧ୍ୟ ଜମ୍ମୁ କଶ୍ମୀରରୁ ଅଲଗା ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଗଣିତ ହୋଇଥିଲା।

Leave a Reply

Your email address will not be published. Required fields are marked *