Wed. Oct 14th, 2026

ଏକ ଅଜଣା ଛୁଆର କାନ୍ଦ ଆଗରେ ତରଳିଗଲା ପୁଲିସ୍‌ ହୃଦୟ । ପୁଲିସ୍‌ ବର୍ଦ୍ଦି ତଳୁ ବିଚଳିତ କଲା ମା’ର ମମତା। ଶେଷରେ କର୍ତ୍ତବ୍ୟକୁ ପଛ କରି ନିଜ ହୃଦୟର ଡାକ ଶୁଣିଲେ ପୁଲିସ୍‌ ଅଧିକାରୀଜଣକ । ତା’ ପରେ ସେ ୪ ମାସର ପିଲାଟିକୁ କୋଳକୁ ନେଇ ନିଜ କ୍ଷୀର ପିଆଇ ଚୁପ୍‌ କରାଇଲେ। ଏପରି ଏକ ହୃଦୟସ୍ପର୍ଶୀ ଘଟଣା କେରଳର କୋଚି ପୁଲିସ୍‌ ଷ୍ଟେଶନରେ ଦେଖିବାକୁ ମିଳିଛି।

ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ। ଛୁଆଟିର ପରିବାର କହିଲେ ବାପାମା’ ଓ ୩ ଭାଇଭଉଣୀ। ମାତ୍ର ଭାଗ୍ୟର ବିଡମ୍ବନା ପିଲାଟିର ବାପା ଏବେ ଜେଲ୍‌ରେ ଥିବା ବେଳେ ମା’ ହସ୍ପିଟାଲ ବେଡରେ ମରଣ ସହ ସଂଘର୍ଷ କରୁଛି। ସେମାନଙ୍କ ଘର ବିହାରରେ ହୋଇଥିବା ବେଳେ କିଛି ବର୍ଷ ହେବ କୋଚିରେ ରହୁଥିବା ଜଣାଯାଇଛି। ଏପରି ସ୍ଥିତିରେ ପାଖରେ କେହି ନିଜର ନ ଥିବା ବେଳେ ୪ ଛୁଆ ଅସହାୟ ହୋଇ ପଡ଼ିଥିଲେ। ଖବର ପାଇ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି ପୁଲିସ୍‌ ଥାନାକୁ ଆଣିଥିଲା।

ବଡ଼ ୩ ଛୁଆଙ୍କୁ ଖାଇବାକୁ ଦେଇ ପୁଲିସ୍‌ ରଖିଥିବା ବେଳେ ଛୋଟ ଛୁଆଟି କିନ୍ତୁ ଅସମ୍ଭାଳ ହୋଇ ପଡ଼ୁଥିଲା। ଛୁଆଟିର କୁନି କୁନି ଆଖି ତା’ ମା’କୁ ଖୋଜୁଥିବା ବେଳେ ଆଖିରୁ ଗଡ଼ି ଚାଲିଥିଲା ଲୁହ । ଏପରି ସ୍ଥିତି ସେଠାରେ ଉପସ୍ଥିତ ଥିବା ମା’ ଆର୍ଯ୍ୟା ନାମ୍ନ ଅଧିକାରୀଙ୍କୁ ବିଚଳିତ କରି ପକାଇଥିଲା। କାରଣ ତାଙ୍କର ବି ଏକ ୯ ମାସର ଛୁଆ ଥିବା ଜଣାଯାଇଛି। ତେଣୁ ସେ ନିଜ ଡ୍ୟୁଟି ଛାଡ଼ି ପିଲାଟିକୁ କୋଳକୁ ନେଇ ଯାଇଥିଲେ। ଆଉ ନିଜ କ୍ଷୀର ପିଆଇ ତାକୁ ଶାନ୍ତ କରାଇଥିଲେ। ଏହାପରେ ଅଧିକ ଯତ୍ନ ନିମନ୍ତେ ସମସ୍ତ ଶିଶୁଙ୍କୁ ଚାଇଲ୍ଡ କେୟାର ସେଣ୍ଟରକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ଆର୍ଯ୍ୟାଙ୍କ ଏପରି ପଦକ୍ଷେପ ପାଇଁ ତାଙ୍କ ନିକଟକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *