ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି, ହାଟଡିହି ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ଵର : ଓଡ଼ିଶାରେ ସରକାର କିଏ ଚଳାଉଛି ଓ କେମିତି ଚାଲୁଛି ? ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଓଡିଶା ରାଜ୍ୟ ସମସ୍ତ ସୀମା ଅତିକ୍ରମ କରିସାରିଛି । ଏପରିକି ଗଣତନ୍ତ୍ର ଓ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଥିବାବେଳେ ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି । “ଅଣଓଡିଆ ଅଫିସର, ଠିକାଦାର,ବ୍ୟବସାୟୀ” ମଧୁଚନ୍ଦ୍ରିକାରେ ରାଜ୍ୟର ବିକାଶକୁ ଲୁଂଠନ କରାଯାଉଛି । ୫୦ ପ୍ରତିଶତ ପିସି କମିଶନ ଟଙ୍କାରେ ବିଜେଡି ନେତା, ମନ୍ତ୍ରୀ ଓ ବିଧାୟକମାନେ ମାଲେମାଲ ହେଉଛନ୍ତି, କିନ୍ତୁ ସାଧାରଣ ଲୋକଟି ନିଜ ହକ୍ ପାଇବାରୁ ବଂଚିତ ରହୁଛନ୍ତି । ଚିଟଫଣ୍ଡ ମହା ଦୁର୍ନୀତିର ଶିକାର ହୋଇ ଆଜି ଲକ୍ଷ ଲକ୍ଷ ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି । ଓଡିଶାବାସୀଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରାଗଲା । ରାଜ୍ୟ ସରକାରଙ୍କ ଆବେଦନଠାରୁ ଅଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ପକ୍କା ଘର ଯୋଗାଇ ଦେବା ସତ୍ୱେ ଆଜି ବି ଲକ୍ଷ ଲକ୍ଷ ପରିବାର ମୁଣ୍ଡ ଉପରେ ଛାତ ନାହିଁ । ଖଣି ଅଂଚଳ ପାଇଁ ସ୍ୱତନ୍ତ୍ର ଭାବେ ଥିବା ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ କଲ୍ୟାଣ ପାଂଠି ବା ଡିଏମଏଫ ପାଂଠି ଦୁର୍ନୀତିର ଗନ୍ତାଘର ସାଜିଛି । ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାଧାରଣ ଓଡିଆ ଲୋକମାନେ ଆଜି ଅଣନିଶ୍ୱାସୀ । ପଂଚାୟତ, ବ୍ଲକରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପିଛି । ଏହାର ଅନ୍ତ ଘଟିବା ନିହାତି ଆବଶ୍ୟକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ବ୍ଲକ ଘେରାଓ ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜଣେ ଅଣ ଓଡିଆଙ୍କ ହାତରେ ସବୁ କ୍ଷମତା ଦେଇଛନ୍ତି । ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ, ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଥିଲେ ସେମାନଙ୍କର କୌଣସି ଭୂମିକା ନାହିଁ । କ୍ୟାବିନେଟ ବୈଠକରେ ସଚିବମାନେ ଯାହା ନିଷ୍ପତି ନେବେ ତାହା ହିଁ ହେଉଛି । ବ୍ଲକରେ ବିଡିଓ ହେଉଛି ମାଲିକ । ବ୍ଲକ ଚେୟାରମ୍ୟାନର ଅଧିକାରକୁ ଆଜି ଏହି ସରକାର ହତ୍ୟା କରିଛି । ସେହିଭଳି ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦମାନଙ୍କର କିଛି କ୍ଷମତା ନାହିଁ । ଜିଲ୍ଲାପାଳମାନେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଗ୍ରାମପଂଚାୟତ ସ୍ତରର ସ୍ଥିତି ଆହୁରି ସଙ୍ଗୀନ । ଓଡିଶାରେ ବାବୁ ରାଜ ଅସହ୍ୟ ହେଲାଣି ବୋଲି ସରପଂଚ ଓ ସମିତି ସଭ୍ୟମାନେ ରାଜରାସ୍ତାରେ ଧାରଣା ଦେଉଛନ୍ତି ।
କେନ୍ଦ୍ର ସରକାର ଓଡିଶାରେ ମେଡିକାଲ କଲେଜ ନିର୍ମାଣ ପାଇଁ ଚାହିଁ ବସିଥିବାବେଳେ ରାଜ୍ୟ ସରକାର ଲେଖିକି ଦେବାରେ କାହିଁକି କଞ୍ଜୁସି କରୁଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ପର୍ଯାପ୍ତ ପରିମାଣର ଟଙ୍କା ଦେଉଥିବାବେଳେ ଓଡ଼ିଶାରେ ଶିକ୍ଷକ ପଦବୀ, ଡାକ୍ତର ପଦବୀ କାହିଁକି ଖାଲି ପଡିଛି? ରାଜ୍ୟ ସରକାର ଆୟୁଷ ଓ ଆୟୁର୍ବେଦିକ ଡାକ୍ତରଙ୍କୁ କାହିଁକି ନିଯୁକ୍ତି ଦେଉନାହାନ୍ତି? କୃଷକଙ୍କ ଆୟ କାହିଁକି ବୃଦ୍ଧି ପାଉନାହିଁ ? ରାଜ୍ୟ ସରକାର ଓଡ଼ିଶାରେ ଦୁର୍ନିତୀ ଉପରେ ଦୁର୍ନୀତି କରି ଚାଲିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଘେରାଓ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

You May Also Like

More From Author

+ There are no comments

Add yours