ଆନ୍ଧ୍ର କରିବ ଶକ୍ତି ପ୍ରକଳ୍ପ: ବିସ୍ଥାପିତ ହେବେ ଓଡିଶା କୋଟିଆ ପଂଚାୟତର ୧୨ଟି ଗାଁ

କୋରାପୁଟ: ଆନ୍ଧ୍ରର କୁରୁକୁଟି ଓ କାରିଭାଲାସା ପମ୍ପଚାଳିତ ଜଳଭଣ୍ଡାର ଶକ୍ତି ପ୍ରକଳ୍ପ (ପିଏଚ୍‌ଏସ୍‌ପିପି)କୁ ନେଇ ଶଙ୍କା ଓ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ବିଭିନ୍ନ ମହଲରେ ପ୍ରବଳ ବିରୋଧ ସତ୍ତ୍ବେ ଆନ୍ଧ୍ର ସରକାର ପ୍ରକଳ୍ପକୁ ବାସ୍ତବ ରୂପ ଦେବାପାଇଁ ପୂରା ଜୋର ଲଗାଇ ଦେଇଛନ୍ତି। ପ୍ରକଳ୍ପ ହେଲେ କୋଟିଆ ପଞ୍ଚାୟତର ୧୨ଟି ଗାଁ ପ୍ରଭାବିତ ହେବ।

ଅନ୍ୟପକ୍ଷରେ ଆନ୍ଧ୍ରର ତିନିଟି ପଞ୍ଚାୟତର କିଛି ଗାଁ ବିସ୍ଥାପିତ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି। ପ୍ରକଳ୍ପ ଯୋଗୁଁ ଆନ୍ଧ୍ରର ଲାଭ ଏବଂ ଓଡ଼ିଶାର କ୍ଷତି ହେଉଥିଲେ ସୁଦ୍ଧା ପ୍ରତିବାଦ ନକରି ନିରବତା ଅନେକ ପ୍ରଶ୍ନ ଉଠାଇଛି।

ଆନ୍ଧ୍ର ସରକାର ସବୁଜ ଶକ୍ତି ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ସହଯୋଗରେ ଜଳଭଣ୍ଡାର ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହି ପ୍ରକଳ୍ପରୁ ୨୦୩୦ ମସିହା ସୁଦ୍ଧା ୫୦୦ ଗିଗାୱାଟ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଦୁଇଟି ବିଶାଳ ଜଳଭଣ୍ଡାର ପାଇଁ ମାଷ୍ଟର ପ୍ଲାନ୍‌ ହୋଇଛି। ପାର୍ବତୀପୁରମ ମାନ୍ୟମ ଜିଲ୍ଲା ସାଲୁର ମଣ୍ଡଳ ଅନ୍ତର୍ଗତ କୁରୁକୁଟି ଓ କୋଟିଆ ପଞ୍ଚାୟତର ଗଞ୍ଜେଇପଦର ଠାରେ (କାରିଭାଲାସା) ଜଳଭଣ୍ଡାର କରିବାକୁ ଯୋଜନା କରିଛି। ପ୍ରକଳ୍ପ ପାଇଁ ଓଡ଼ିଶାର କିଛି ଅଞ୍ଚଳ ପ୍ରଭାବିତ ହେଉଥିବାରୁ ଓଡ଼ିଶା କାଳେ ବିରୋଧ କରିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲା। କେନ୍ଦ୍ରର ମଧ୍ୟସ୍ଥତାରେ କିଛି ମାସ ତଳେ ନୂଆଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଓଡ଼ିଶା ସରକାର ଏହି ବୈଠକରେ କ’ଣ ପ୍ରତିକ୍ରିୟା ରଖିଲେ ଜଣାପଡ଼ିନି।

ଯେତେଶୀଘ୍ର ସମ୍ଭବ ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାକୁ ଆନ୍ଧ୍ର ସରକାର ଯୋଜନା କରିଛନ୍ତି। ଏପରିକି ପ୍ରକଳ୍ପ ପାଇଁ ଚିହ୍ନଟ ସ୍ଥାନରେ ଜନମତ ସଂଗ୍ରହ କରୁଥିବା ସୂଚନା ମିଳିଛି। କିଛି ସ୍ଥାନରେ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବେ ବୋଲି ଲୋକେ ଶୁଣିବା ପରେ ବିରୋଧ କରିବା ଆରମ୍ଭ କରିଥିଲେ। କିନ୍ତୁ ଆନ୍ଧ୍ର ସରକାରଙ୍କ ଉପରେ ତାହାର କୌଣସି ପ୍ରଭାବ ପଡ଼ି ନଥିଲା। ଏମିତି ସ୍ଥିତିରେ ଆନ୍ଧ୍ର ଓ ତେଲେଙ୍ଗାନାର ମାନବିକ ଅଧିକାର ଫୋରମର ମୁଖ୍ୟ ଭି.ଏସ୍‌ କ୍ରିଷ୍ଣା ଲୋକଙ୍କ ସମସ୍ୟା ନେଇ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରିଥିଲେ। ସମସ୍ୟାକୁ ସରକାର ଗୁରୁତ୍ବ ନଦେବାରୁ ଫୋରମ ସହ ବିସ୍ଥାପିତ ହେବାକୁ ଥିବା ଗାଁର ଲୋକେ ରାଜଧାନୀରେ ବିକ୍ଷୋଭ କରିଛନ୍ତି। କୋଟିଆବାସୀ ମଧ୍ୟ ଏହି ପ୍ରକଳ୍ପକୁ ନେଇ ଆଶଙ୍କାରେ ରହିଛନ୍ତି। ପ୍ରକଳ୍ପ ଯୋଗୁଁ ଆନ୍ଧ୍ରରେ ଯେତିକି ବିସ୍ଥାପନ ହେବ ତାହାର ୬ଗୁଣ ଅଧିକ ବିସ୍ଥାପନ ଓଡ଼ିଶାରେ ହେବ ବୋଲି ଚର୍ଚ୍ଚା ହେଉଛି।

You May Also Like

More From Author

+ There are no comments

Add yours