ନାଗସାପର ଭୟ ଦେଖାଇ ନାବାଳିକା ଶୋଷଣ, ପୀଡ଼ିତାଙ୍କ ପରିବାରକୁ ଭେଟିଲା ସ୍ନେକ ହେଲ୍ପ ଲାଇନ

ନୟାଗଡ଼: ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ନାଗସାପ ଦ୍ଵାରା ଭୟଭୀତ କରାଇ ଶୋଷଣ କରିବା ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଗନ୍ନାଥ ସାହୁଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ସହିତ ସଙ୍ଗୀନ ପୋକସୋ ଦଫା ଲଗାଯାଇଛି ଏବଂ ଅଧୁନା ସେ ବିଚାରାଧୀନ କଏଦୀ ଭାବରେ ନୟାଗଡ଼ ଜିଲ୍ଲା କାରାଗାରରେ ଅଛି। କିନ୍ତୁ ନାଗସାପ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ତଫସିଲ ୧ ସରୀସୃପ ହୋଇଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ ଆଇନର କୌଣସି ଦଫା ଲଗାଯାଇ ନାହିଁ। ଏହି ତ୍ରୁଟିକୁ ସାମ୍ନାକୁ ଆଣିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ।

ପୀଡ଼ିତା ନାବାଳିକା ତାଙ୍କ ଏତଲାରେ ଅଭିଯୁକ୍ତ ଜଗା ସାହୁ ସ୍ନେକ ହେଲ୍ପ ଲାଇନର ଜଣେ କର୍ମଚାରୀ ଏବଂ ସେ ତାଙ୍କ ଘରେ ନାଗ ସାପ ଛାଡି ଦେଉଛି ବୋଲି ଓଡଗାଁ ଥାନାରେ ଅଭିଯୋଗ କରିଥିଲେ। ଯେହେତୁ ଜଗା ସାହୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ନଥିଲେ, ତେଣୁ ଏଇ ଘଟଣାର ରହସ୍ୟ ଜାଣିବା ପାଇଁ ଗତକାଲି ସ୍ନେକ ହେଲ୍ପ ଲାଇନ ଏକ ୪ ଜଣିଆ ଟିମ ଓଡଗାଁ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟ ହୋଇ ପୀଡ଼ିତାଙ୍କ ମାଆ ଓ ଭାଇଙ୍କୁ ସାନ୍ତ୍ଵନା ଦେଇଥିଲେ। ନିହାରିକା ମହାପାତ୍ର ନାବାଳିକା ପୀଡ଼ିତାଙ୍କୁ କାଉନସେଲିଂ କରିବା ସହିତ ସାପକୁ ଭୟ ନକରିବା ପାଇଁ ପରାମର୍ଶ ଦେଇଥିଲେ।

ଆଜି ସମସ୍ତ ଅପରାଧ ପାଇଁ ଅଲଗା ଅଲଗା ଦଫା ଲଗେଇ ଚାର୍ଜସିଟ ଦେବା ପାଇଁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ନୟାଗଡ଼ ଏସପିଙ୍କୁ ଇମେଲ ଜରିଆରେ ପତ୍ର ଲେଖିଛନ୍ତି। ଏହାର କପି ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ, ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ, ବନ୍ୟ ପ୍ରାଣୀ ପିସିସିଏଫଙ୍କ ସହିତ ନୟାଗଡ଼ ଡିଏଫଓଙ୍କୁ ମଧ୍ୟ ଦିଆଯାଇଛି। ଅନ୍ୟପଟେ ଘଟଣାକୁ ନେଇ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଅଭିଯୁକ୍ତ ଜଗା ସାହୁ ସାପ ଧରି ଅନେକ ଦିନ ପର୍ଯ୍ୟନ୍ତ ରଖେ ଏବଂ ରାଜ୍ୟ ତଥା ଦେଶ ବାହାରର ସାପଧରାଳି ମାନଙ୍କୁ ଟଙ୍କା ବଦଳରେ ୟୁଟ୍ୟୁବ ଭିଡିଓ କରିବାର ସୁଯୋଗ ଦିଏ। ଏଭଳି ଅଭିଯୋଗ ଅନେକ ଦିନରୁ ହୋଇ ଆସୁଥିଲେ ମଧ୍ୟ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ସାପକୁ ବ୍ୟବହାର କରି ଏଭଳି ଅପରାଧ ରାଜ୍ୟରେ ସମ୍ଭବତଃ ପ୍ରଥମ ଘଟଣା।

You May Also Like

More From Author

+ There are no comments

Add yours