ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲା ବିଜେପି ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର,ତା.୧୮/୧୦: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ ଦୀର୍ଘ ବର୍ଷ ଧରି ବାରମ୍ବାର ଦାବି କରାଯାଉଛି । କିଏ କହୁଛି ଲୁଟ୍ ହୋଇଛି ତ ଆଉ କିଏ କହୁଛି ଚାବି ହଜିଯାଇଛି । ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଏବଂ ବିଜେପିର ତୀବ୍ର ଆନ୍ଦୋଳନ ପରେ ରାଜ୍ୟ ସରକାର ୨୦୧୮ ମସିହା ଜୁନ୍ ୬ ତାରିଖରେ ଜଷ୍ଟିସ୍ ରଘୁବୀର ଦାସ କମିଶନ ଗଠନ କରିଥିଲେ । ଆଜି ୫ ବର୍ଷ ବିତିଯାଇଥିଲେ ସୁଦ୍ଧା କମିଶନରୁ କିଛି ସୁଫଳ ମିଳିଲା ନାହିଁ । ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟରେ କ’ଣ ଅଛି ରାଜ୍ୟ ସରକାର ତାହା ଆଜି ପର୍ଯ୍ୟନ୍ତ ପ୍ରକାଶ କଲେ ନାହିଁ । କିନ୍ତୁ ପରବର୍ତୀ ସମୟରେ ଚାବି ହଜିବା, ନକଲି ଚାବି ମିଳିବା ଘଟଣା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି କରିଥିଲା । ଶେଷରେ ଶ୍ରୀ ମନ୍ଦିର କମିଟି ଗଠନ କରି ରତ୍ନଭଣ୍ଡାର ଖୋଲିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ ଅଗଷ୍ଟ ୪ତାରିଖରେ କମିଟି ଗଠନ ପାଇଁ ରିଜଲ୍ୟୁସନ କରାଯାଇଥିଲା ଓ ସେପ୍ଟେମ୍ବର ୨୯ରେ ମାନ୍ୟବର ହାଇକୋର୍ଟ ଶ୍ରୀମନ୍ଦିର କମିଟି ଗଠନ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ବର୍ତମାନ ସୁଦ୍ଧା କମିଟି ଗଠନ କରାଗଲା ନାହିଁ କି କୈାଣସି ପଦକ୍ଷେପ ନେଲେ ନାହିଁ ରାଜ୍ୟ ସରକାର । ରତ୍ନ ଭଣ୍ଡାରକୁ ନେଇ ଅଗଣିତ ଜଗନ୍ନାଥପ୍ରେମ଼ୀଙ୍କ ମନରେ ଉତ୍କଣ୍ଠା ଓ ସନ୍ଦେହ ବୃଦ୍ଧି ହେଉଥିବାବେଳେ ରାଜ୍ୟ ସରକାରଙ୍କ ହେୟ ମନୋଭାବ ପୁଣି ଥରେ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
୧୯୭୮ ମସିହା ପରେ ଦୀର୍ଘ ୪୫ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇ ନାହିଁ । ରତ୍ନଭଣ୍ଡାର ସୁରକ୍ଷିତ ଅଛି ବୋଲି ଗଣମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସକ ଦୃଢ଼କ୍ତି ପ୍ରକାଶ କରୁଥିବାବେଳେ ଖୋଲିବାକୁ ନେଇ ଆନ୍ତରିକତା ଦେଖାଉ ନାହାନ୍ତି କାହିଁକି ? ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟ ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର କହିସାରିଛନ୍ତି । ରତ୍ନଭଣ୍ଡାର ଖୋଲିଲେ କୋଟି କୋଟି ଜଗନ୍ନାଥପ୍ରେମୀମାନଙ୍କ ଦ୍ୱନ୍ଦ୍ୱ ଦୂର ହେବ । ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଆଜି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ଭେଟି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
ଆଲୋଚନା ପ୍ରସଙ୍ଗରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗଜପତି ମହାରାଜ ହେଉଛନ୍ତି ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହ ବିସ୍ତୃତ ଆଲୋଚନା କରାଗଲା । ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କଠାରୁ ରତ୍ନଭଣ୍ଡାର ଖୋଲାଯିବା ଏବଂ ସୁରକ୍ଷା ପ୍ରସଙ୍ଗରେ ବହୁ ଆଶା ରଖିଛନ୍ତି ଅଗଣିତ ଜଗନ୍ନାଥପ୍ରେମୀ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏକ କମିଟି ଗଠନ କରାଯାଇ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲୁ । ରିଜଲ୍ୟୁସନ ମାଧ୍ୟମରେ ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଏବଂ ସେ ନିଜେ ବହୁ ଆଶାବାଦୀ ଅଛନ୍ତି ବୋଲି ଗଜପତି ମହାରାଜ ପ୍ରତିନିଧିମଣ୍ଡଳୀଙ୍କୁ କହିଛନ୍ତି । ବର୍ତମାନ ରତ୍ନଭଣ୍ଡାର ଖୋଲିବାର ସଂପୂର୍ଣ୍ଣ ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର ଏବଂ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
୨ ମାସ ଭିତରେ କମିଟି ଗଠନ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ବର୍ତମାନ ୩ ମାସ ପୁରିବାକୁ ବସିଲାଣି, କିନ୍ତୁ ବର୍ତମାନ ସୁଦ୍ଧା କମିଟି ଗଠନ କରାଗଲା ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଯଦି ରାଜ୍ୟ ସରକାର ତୁରନ୍ତ କମିଟି ଗଠନ ନକରନ୍ତି, ତାହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ବିରୁଦ୍ଧରେ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ବରିଷ୍ଠ ବିଜେପି ନେତା ତଥା ଆଇନଜୀବି ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ଥିଲେ ।

You May Also Like

More From Author

+ There are no comments

Add yours