Wed. Oct 14th, 2026

ମାଲକାନଗିରି: ମାଲକାନଗିରି ଷ୍ଟାଡିୟମରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ପରେ ନିଜେ ବସରେ ବସି ଏମଭି-୩ ଯାଇଥିଲେ ମୁଖ୍ୟମନ୍ତ୍ରୀ । ରାସ୍ତା କଡ଼ର ଶହ ଜନତାଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ଏମଭି-୩ରେ ବସଷ୍ଟପର ଶୁଭାରମ୍ଭ କରିଛନ୍ତି ନବୀନ। ଏହି ଅବସରରେ ଆଦିବାସୀଙ୍କ ସହ ଭାବବିନିମୟ କରିଥିଲେ

ମାଲକାନଗିରିକୁ ଆସିବା ମୋ ପାଇଁ ଏକ ସ୍ୱତନ୍ତ୍ର ଅନୁଭବ। ଏହା ହେଉଛି ଓଡ଼ିଶା ବିକାଶର ଲଞ୍ଚ ପ୍ୟାଡ୍। ମାଲକାନଗିରିରୁ ହିଁ ଏକ ଟଙ୍କିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ ହୋଇଥିଲା। ଆଜି ପୁଣିଥରେ ଏହି ମାଟିରୁ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ‘ଲକ୍ଷ୍ମୀ’ର ଆରମ୍ଭ କରି ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଯୋଗାଯୋଗ ହେଉଛି ବିକାଶର ଆଧାର। ‘ଲକ୍ଷ୍ମୀ’ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ। ଘର ପାଖକୁ ବସ୍‌ ଆସିବ। ପିଲାଙ୍କୁ ସ୍କୁଲ କଲେଜ ସହ ଓ ଚାଷୀଙ୍କୁ ବଜାର ସହିତ ଯୋଡ଼ିବ। ରୋଗୀଙ୍କୁ ହସ୍ପିଟାଲ ଯିବା ସହଜ ହେବ। ମା’ମାନେ ସେମାନଙ୍କ କାମ ପାଇଁ ବିଭିନ୍ନ ସ୍ଥାନକୁ ସୁବିଧାରେ ଯାଇପାରିବେ। ‘ଲକ୍ଷ୍ମୀ’ ଯୋଜନାରେ ଘରେ ଘରେ ଖୁସି ଆସିବ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ମାଲକାନଗିରି ଜିଲ୍ଲା ଗସ୍ତରୁ ଲୋକଙ୍କ ମତାମତ ଅନୁଯାୟୀ ‘ଲକ୍ଷ୍ମୀ’ ଯୋଜନାର ପରିକଳ୍ପନା କରାଯାଇଛି। ଏହାଦ୍ୱାରା ଲୋକଙ୍କ ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ଆସିବ। ଆମର ଅର୍ଥନୀତିକୁ ଏହା ଆହୁରି ମଜଭୁତ କରିବା ସହ ଗାଁ ଗାଁରେ ସମୃଦ୍ଧି ଆଣିବ।

ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା । ଯୋଜନା ଅଧିନରେ ସାରା ରାଜ୍ୟରେ ହଜାରରୁ ଅଧିକ ବସ ଚଳାଚଳ କରିବ। ଏହି ଅବସରରେ ଜିଲ୍ଲାରେ ୧୯୨ କୋଟି ବ୍ୟୟରେ ୧୮ଟି ଲୋକାଭିମୁଖି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ। ଏଥିସହ ୬୦୧ କୋଟିରୁ ଅଧିକ ବ୍ୟୟର ୯୬ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

Leave a Reply

Your email address will not be published. Required fields are marked *