ପୁରୀ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପୁରୀ ୩୧/୮ ନିଜର ଦାୟିତ୍ୱ କୁ ସୁଚାରୁ ରୂପେ ନିର୍ବାହ ସହ ନାଗରିକ ର କର୍ତ୍ତବ୍ୟ ପାଳନ କରି ପାରିଲେ ସ୍ୱାୟତ୍ତ ଶାସନ ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ।ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ପୁରୀ ପୌର ପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଥିଲା।ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ଷଡ଼ଙ୍ଗୀ ପୁରୀ ସହର ସମଗ୍ର ବିଶ୍ୱ ରେ ଆଧ୍ୟାତ୍ମିକ, ପର୍ଯ୍ୟଟନ କ୍ଷେତ୍ର ଦୃଷ୍ଟିରୁ ସୁନାମ ଅର୍ଜନ କରିଛି।ଏହାର କଳେବର ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଛି।ଆଉ ଅଳ୍ପ କିଛି ଦିନ ପରେ ଏହା ଏକ ସୁନ୍ଦର ସହରରେ ପରିଣତ ହେବ। ଯେହେତୁ ଦେଶ ବିଦେଶରୁ ଦୈନିକ ଲକ୍ଷ ଲକ୍ଷ ଲୋକ ଏଠାକୁ ଆସୁଛନ୍ତି ସେଥିପାଇଁ ସହରକୁ ପରିଷ୍କାର ପରିଛନ୍ନ ରଖିବା, ଭଲ ବ୍ୟବହାର ପ୍ରଦର୍ଶନ କରିବା ଆମ ସମସ୍ତଙ୍କର ଦାୟିତ୍ୱ।କେବଳ ମୁନିସିପାଲ୍ଟି ଏହାକୁ ସ୍ୱଛ ରଖିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ। ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରି ଆଜିର ଦିବସ ସମର୍ପଣ ଓ ସଂକଳ୍ପ ର ଦିବସ ବୋଲି ଅଭିହିତ କରି ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବାକୁ ଆହ୍ୱାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱାୟତ୍ତ ଶାସନ ଦିବସ ପାଳନ ର ଲକ୍ଷ୍ୟ, ଉଦ୍ଦେଶ୍ୟ, ତାତ୍ପର୍ଯ୍ୟ ଓ ନାଗରିକ ଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ପୁରୀ ପୌର ସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ଓ ସଫଳତା ରେ ସମଗ୍ର ଦେଶରେ ୫୮ ତମ ସ୍ଥାନ ଓ ରାଜ୍ୟର ପୌର ସଂସ୍ଥା ମଧ୍ୟରେ ପୁରୀ ଏକ ନମ୍ବର ସ୍ଥାନ ହାସଲ କରିଛି ବୋଲି କହିବା ସହ ଏହାର ସୁଫଳ ଜନସାଧାରଣଙ୍କ ସହଯୋଗ ଓ ସହଭାଗୀତାରେ ସମ୍ଭବ ହୋଇଛି ବୋଲି କହିଥିଲେ। ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପ୍ରତ୍ୟୁଷରୁ ସିଂହଦ୍ୱାର ଠାରେ ପ୍ରଦୀପ ପ୍ରଜ୍ୱଳନ ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଗାନ୍ଧୀ ଘାଟ ଠାରେ ଛାତ୍ରଛାତ୍ରୀ ଙ୍କ ସମାବେଶ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ରାମଧୂନ ପରିବେଷଣ,ପୌର କାର୍ଯ୍ୟାଳୟ ରେ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ଓ ମିଷ୍ଟାନ୍ନ ବଣ୍ଟନ, ସହରାଞ୍ଚଳ ବାସହୀନ ଙ୍କ ଆଶ୍ରୟ ସ୍ଥଳୀରେ ଫଳ ବଣ୍ଟନ ଓ ପରିମଳ କର୍ମଚାରୀ ଙ୍କୁ ଶାଢ଼ୀ,ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଅତିଥି ମାନେ ୯ ଗୋଟି ପ୍ରକଳ୍ପ କୁ ଉଦଘାଟନ ମଧ୍ୟ କରିଥିଲେ। ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟ ପରିଚାଳନା ରେ ପୌର ପାଳିକା ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

You May Also Like

More From Author

+ There are no comments

Add yours