Wed. Oct 14th, 2026

ଦଶମନ୍ତପୁର: (ଶୈଳେଶ ଖଡିଆରଙ୍କ ରିପୋର୍ଟ) କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ କାମ ନପାଇ ରୋଜଗାର ପାଇଁ ଯାଉଥିବା ଦାଦନ ଦୁଃଖର ଚିତ୍ର ଏବେ କିଛି ଦିନ ହେବ,ପୁଣି ଥରେ ସାମ୍ନାକୁ ଆସିଛି । କେତେବେଳେ ରାଜ୍ୟ ବାହାରକୁ ଯାଇ ପ୍ରାପ୍ୟ ମିଳୁନି ତ ଆଉ କେତେବେଳେ ଯନ୍ତ୍ରଣା ଓ ନିର୍ଯାତନା । ଏବେ କିଛି ଦିନ ହେଲା ମୃତ୍ୟୁକୁ ସାଙ୍ଗରେ ନେଇ ଫେରୁଛି । ଗତ ସପ୍ତାହ ରେ ପୋଝାର ଗ୍ରାମର ଦୁଇ ଜଣ ଦାଦନଙ୍କ ବିଶାଖାପାଟଣା ରେ ମୃତ୍ୟୁ ଘଟିଥିବା ବେଳେ ଏବେ ଦଶମନ୍ତପୁର ଲୁଲ୍ଲା ପଞ୍ଚାୟତ ଅନ୍ତର୍ଗତ କୁଦାଲଅଟାଲ ଗ୍ରାମର ରୁପା ଦିଶାରୀ (23 ବର୍ଷ)ଙ୍କ ମୁମ୍ବାଇରେ 22 ତାରିଖରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେହିଭଳି ଆଜି ଶନିବାର ଦିନ ଚଣାବାଡ଼ ପଞ୍ଚାୟତ ଅନ୍ତର୍ଗତ କଦମଝୋଲା ଗ୍ରାମର ମୁକୁନା ଜାନି (17) ଦଶମନ୍ତପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁବରଣ କରିଛନ୍ତି । ଚଳିତ ମାସ ଚଉଦ ତାରିଖରେ କଦମଝୋଲା ଗ୍ରାମର ୬ ଜଣ ଯୁବକଙ୍କୁ ପିଣ୍ଡା ପଦର ସ୍ଥିତ ଦାଉଦ ଖରା ନାମକ ବ୍ୟକ୍ତି,୨ ହଜାର ଲେଖାଏଁ ଟଙ୍କା ଦେଇ କୁଲି କାମ କରିବା ପାଇଁ ବିଶାଖାପାଟଣା ନେଇଥିବା ଯୁବକ ମାନେ ପ୍ରକାଶ କରିଛନ୍ତି । ଯାଇଥିବା ୬ ଜଣଙ୍କ ମଧ୍ୟରୁ ମୃତ ମୁକୁନା ଜାନି (17), ସୁରେଶ ଜାନି (15), ହେମନ୍ତ ସାଉଁନ୍ତା (18), ନିମନ ସାଉଁନ୍ତା (17), ମହେଶ୍ୱର ଜମ୍ବେକା (24), ଧନୁ ରଇତ(15) ଏହି ସମସ୍ତେ ବିଶାଖାପାଟଣା ଠାରେ ଜଣେ ଠିକାଦାର ପାଖରେ କୁଲି କାମ କରୁଥିଲେ। ସକାଳ ୮ରୁ ରାତି ୮ ମୋଟ ୧୨ ଘଣ୍ଟା କାମ କରିବା ପାଇଁ ମାସିକ ଦଶ ହଜାର ଟଙ୍କା ଦେବା ପାଇଁ କୁହାଯାଇଥିଲା । ୨୧ ତାରିଖ ଦିନ କାମ କରୁଥିବା ସମୟରେ ମୁକୁନା ଓ ହେମନ୍ତ ଖାଇସାରିବା ପରେ ଅଜାଣତରେ ବୋତଲରେ ଥିବା ଦୂଷିତ ପାଣି ପିଇଦେଇଥିଲେ। ପରେ ବିଶାଖାପାଟଣା ମେଡିକାଲ ରେ ଚିକିତ୍ସାଧୀନ ଥିଲେ । ହେମନ୍ତ ସମ୍ପୂର୍ଣ୍ଣ  ସୁସ୍ଥ ହୋଇ ଫେରି ଥିବା ବେଳେ ମୁକୁନା ସୋମବାର ଦିନ ଦଶମନ୍ତପୁର ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପରେ ଗ୍ରାମକୁ ଟିକେ ସୁସ୍ଥ ହୋଇ ଗାଁକୁ ଫେରିଥିଲା । ପୁଣି ସେଠାରୁ ସେ ପୋଝାର ଗ୍ରାମକୁ ଯାଇ ଦେଶୀ ଔଷଧ ବ୍ୟବହାର କରିବା ପରେ ଗୁରୁତର ହୋଇପଡିଥିଲା । ଶନିବାର ଦିନ ବାରଟା ସମୟରେ ଦଶମନ୍ତପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଅଳ୍ପ ସମୟ ମଧ୍ୟରେ ତାର ମୃତ୍ୟୁ ଘଟିଥିଲା । ଦାଦନ ଯାଇଥିବା ଛଅ ଜଣଙ୍କ ମଧ୍ୟରୁ 5 ଜଣ ନାବାଳକ ଅଛନ୍ତି । ଗ୍ରାମରେ କାମଧନ୍ଦା ନ ପାଇ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଉଥିବା ଯୁବକ ମାନେ କହୁଛନ୍ତି । ଏପଟେ   N. R .E. G. A  କାମରେ ମିଥ୍ୟା ଡିମାଣ୍ଡ କରି ଶହ ଶହ ଶ୍ରମିକଙ୍କ ବିଲ କରି ଠକି ନେଉଥିବା ଭଳି ଗୁରୁତର ଅଭିଯୋଗ ହେଉଛି ।  ଦଶମନ୍ତପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ଜିଲ୍ଲା ମହକୁମା ପଠାଇଥିବା ସୂଚନା ମିଳିଛି । ଦାଦନ ଖଟିବାକୁ ଯାଇ ୮ ଦିନ ମଧ୍ୟରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *