

ଆଜି ଯଶୋଦା ମା ଫାଉଣ୍ଡେସନ ତରଫରୁ ସମାଜସେବୀ ନିବେଦିତା ଲେଙ୍କାଙ୍କ ପ୍ରଚେଷ୍ଟାରେ ପଣ୍ଡା ପାର୍କ ବସ୍ତି ଓ ସୋମନାଥ ବସ୍ତି ଅଞ୍ଚଳର ବର୍ଣ୍ଣବୋଧ ପାଠଶାଳାର ପିଲା ମାନଙ୍କ ମନରେ ହସ ଫୁଟାଇବା ପରିପ୍ରେକ୍ଷୀ ରେ ଭରତପୁର ଜଙ୍ଗଲ ସଫାରୀ ପରିଭ୍ରମଣ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପିଲା ମାନଙ୍କୁ ପରିବେଶ ସହିତ ପରିଚୟ କରାଇବା ଏବଂ ମନୁଷ୍ୟ,ବୃକ୍ଷଲତା ଓ ପଶୁପକ୍ଷୀ ମାନଙ୍କ ସହ କିପରି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ତାହାର ଏକ ଧାରଣା ପିଲାମାନଙ୍କ ମନରେ ସୃଷ୍ଟି କରାଇବା । ପରିଭ୍ରମଣ ସମୟରେ ପିଲାମାନଙ୍କ ମନରେ ଉତ୍କଣ୍ଠା ଓ ଓଠରେ ହସ ଫୁଟିଉଠୁଥିଲା । ପରିବେଶ ସୁରକ୍ଷା ନିମନ୍ତେ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା ଏଥିସହିତ ଅଧିକରୁ ଅଧିକ ବୃକ୍ଷ ରୋପଣ କରି ଜୀବ ଜଗତର ସନ୍ତୁଳନ ରକ୍ଷା କରାଯାଇପାରିବ ସେ ବିଷୟରେ ବାଟ ସାରା ଶ୍ରୀମତୀ ଲେଙ୍କା ପିଲାମାନଙ୍କୁ ଅବଗତ କରାଉଥିଲେ ।ଏଥିରେ ବନ ବିଭାଗର ଅବସର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଲେଙ୍କା କହିଥିଲେ ଗଛ ଆମରି କେବଳ ବନ୍ଧୁ ନୁହେଁ ଉପକାରୀ ମିତ୍ର ମଧ୍ୟ। ଗଛର ସୁରକ୍ଷା ଓ ପ୍ରତିରକ୍ଷା ପ୍ରତ୍ୟେକ ଶିଶୁର ଦାୟିତ୍ୱ ଓ କର୍ତ୍ତବ୍ୟ। ଛବିତା ନାୟକ ଓ ସ୍ବର୍ଣ୍ଣ ମଞ୍ଜରୀ ବେହେରା ଉକ୍ତ ପରିଭ୍ରମଣ କାର୍ଯ୍ୟକ୍ରମରେ ପିଲାମାନଙ୍କ ସାଥିରେ ରହି ସହଯୋଗ କରିଥିଲେ ।ବର୍ଣ୍ଣବୋଧ ପାଠଶାଳାର ଗୁରୁମା ରଞ୍ଜୁବାଳା ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ 33 ଜଣ ପିଲା ଯୋଗ ଦେଇଥିଲେ। ପ୍ରଥମେ ପରିବେଶ ସୁରକ୍ଷା ଓ ବୃକ୍ଷର ଉପକାରିତା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତାପରେ ଭରତପୁର ସଫାରୀ ସମ୍ପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପିଲାମାନେ ଦେଖିଥିଲେ। ଜଙ୍ଗଲ ବୁଲିଆସିବା ପରେ ପିଲାମାନଙ୍କୁ ଜଳଖିଆ ଓ ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
