Wed. Oct 14th, 2026

ମିଶନ ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋର ବଡ଼ ଘୋଷଣା। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ନିର୍ଦ୍ଧାରଣ କରିଛି ଇସ୍ରୋ। ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ କହିଛି। ଇସ୍ରୋର ମୁନ୍ ମିଶନ ଚନ୍ଦ୍ରଯାନ-3 ବର୍ତ୍ତମାନ ସୁଦ୍ଧା ସମସ୍ତ ଲକ୍ଷ୍ୟ ପୂରଣ କରିସାରିଛି।

ଆଜି ସକାଳେ ଲ୍ୟାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ ହୋଇଥିଲା। ଏହାର କିଛି ଘଣ୍ଟା ପରେ ଲ୍ୟାଣ୍ଡିଂ ସମୟ ସ୍ପଷ୍ଟ ହୋଇଛି। ଇସ୍ରୋ ସୂଚନା ମୁତାବକ ଆସନ୍ତା ବୁଧବାର(ଅଗଷ୍ଟ 23) ସନ୍ଧ୍ୟା 6ଟା 4 ମିନିଟରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ୍ ଲ୍ୟାଣ୍ଡିଂ କରିବ। ସଫଳ ଡିବୁଷ୍ଟିଂ ପରେ ବର୍ତ୍ତମାନ ଲ୍ୟାଣ୍ଡର ବିକ୍ରମ 25 kmx134km କକ୍ଷପଥରେ ଚନ୍ଦ୍ରକୁ ପରିକ୍ରମା କରୁଛି।

ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର ବିକ୍ରମରୁ ରୋଭର୍ ପ୍ରଜ୍ଞାନ ବାହାରି 14 ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ଏହି ସମୟରେ ଚନ୍ଦ୍ରପୃଷ୍ଠରୁ ସମସ୍ତ ତଥ୍ୟ ଯୋଗାଇବ। ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ପ୍ରସ୍ତୁତ ହୋଇଛି, ସେଠାରେ ଜଳ ଅଛି କି ନାହିଁ ଏବଂ ବାୟୁମଣ୍ଡଳର ବିବରଣୀ ମଧ୍ୟ ଦେବ ରୋଭର୍। ଇସ୍ରୋର ଏହି ସଫଳତା ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଯିବ।

Leave a Reply

Your email address will not be published. Required fields are marked *