ଶାରଳା ସମବାୟ ସୂତା କଳ ଭାଙ୍ଗି ହସ୍ପିଟାଲ ଗଢିବା ଚର୍ଚ୍ଚା ଜୋରସୋର

ଦୀର୍ଘ ୨୩ବର୍ଷ ପରେ ସରକାରଙ୍କ ନିଦ ଭାଙ୍ଗିଲା। ୧୯୯୯ମସିହା ମହାବାତ୍ୟା ରେ ତିର୍ତ୍ତୋଲ ନାଉସୀରା ଠାରେ ଥିବା ଶାରଳା ସମବାୟ ସୂତା କଳ ଭାଙ୍ଗି ଅଚଳ ହୋଇଥିବା ବେଳେ ଏବେ ଏହି ସ୍ଥାନରେ ଅତ୍ୟାଧୁନିକ ମେଡିକାଲ କରିବାକୁ ତତ୍ପରତା ପ୍ରକାଶ ପାଇବା ନେଇ ଚର୍ଚ୍ଚା ଜୋର ଧରିଛି।
୧୯୮୫ମସିହାରେ ସମଗ୍ର ଦେଶରେ ଥିବା ସୂତା କଳ ଗୁଡିକ ମଧ୍ୟରେ ତିର୍ତ୍ତୋଲ ନାଉସୀରା ସ୍ଥିତ ସାରଳା ସମବାୟ ସୂତା କଳର ବେଶ ନା ଥିଲା।୧୯୯୯ ମସିହା ମହାବାତ୍ୟାରେ ଏହା କ୍ଷତିଗ୍ରସ୍ତ ହେଲା। ସାରଳା ସମବାୟ ସୂତା କଳର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ଠାରୁ ରାଜନୈତିକ ଦଳ ପକ୍ଷରୁ ଅନେକ ଥର ଆନ୍ଦୋଳନ ହୋଇଛି। ୨୬ଏକର ପରିମିତ ଜମିରେ ଅବସ୍ଥାପିତ ସୂତା କଳ ଉପରେ ଜଗତସିଂହପୁର ଜିଲ୍ଲାର ୨ହଜାର ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ସରକାର କିମ୍ବା ଶାସକଦଳ କୌଣସି ଆନ୍ତରିକତା ଦେଖାଇ ନଥିଲେ । ଏବେ ସରକାରଙ୍କ ତତ୍ପରତା ପ୍ରକାଶ ପାଇବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ କିଛି ଦିନ ତଳେ ସ୍ଥାନୀୟ ତିର୍ତ୍ତୋଲ ସରପଞ୍ଚ, ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ସାରଳା ସମବାୟ ସୂତା କଳ ସ୍ଥାନରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରିବାକୁ 5Tସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଥିଲେ। ଗତ ସପ୍ତାହରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂତା କଳ ପରିସରକୁ ଅନୁଧ୍ୟାନ କରାଯାଇଥିବା ବେଳେ ଆଜି ଲିକ୍ୟୁଡେସନ ବିଭାଗ ପକ୍ଷରୁ ସୂତା କଳ ପରିସରରେ ସ୍ଥାନୀୟ ଜନପ୍ରତିନିଧି ଓ ସାଧାରଣ ଲୋକଙ୍କ ଅଭିମତ ଗ୍ରହଣ କରାଯାଇଛି ।


ସାରଳା ସମବାୟ ସୂତା କଳ ଦୀର୍ଘ ୨୩ବର୍ଷ ଧରି ଅଚଳ ହୋଇ ପଡିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।ଷ୍ଟେଟବ୍ୟାଙ୍କକୁ ୨୦୦୨ମସିହାରେ ୧୪ଲକ୍ଷ ଟଙ୍କା ଋଣ ଶୁଝାଯାଇନଥିବା ବେଳେ ଏବେ ବ୍ୟାଙ୍କ ୨୨କୋଟି ଓ କର୍ମଚାରୀଙ୍କ ବକେୟାକୁ ମିଶାଇ ଦେୟ ୨୫କୋଟିରେ ପହଞ୍ଚିଛି । ମାମଲା ଅଦାଲତରେ ବିଚାରାଧୀନ ରହିଛି।

ଏବେଏହି ସୂତାକଳ ସ୍ଥାନରେ ସୁପରସ୍ପେଷିଆଲିଷ୍ଟ ହସ୍ପିଟାଲ ପାଇଁ ଶେଷ ମୁହୁର୍ତ୍ତରେ ତତ୍ପରତା ଦେଖାଇବା ଘଟଣା ନିର୍ବାଚନ ପୁର୍ବର ଭେଳିକି ନା ଆଉ କିଛି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଜିଲ୍ଲାର ମଧ୍ୟଭାଗରେ, କଟକ-ପାରାଦ୍ୱୀପ ରାସ୍ତା କଡରେ ଏହା ହୋଇଥିବାରୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ହେଲେ ତିର୍ତ୍ତୋଲ, ରଘୁନାଥପୁର, ଏରସମା,କୁଜଙ୍ଗ ସମେତ ପାରାଦ୍ୱୀପ ବନ୍ଦରାଞ୍ଚଳର ହଜାର ହଜାର ଲୋକ ଉପକୃତ ହୋଇପାରନ୍ତେ ବୋଲି ମତ ମଧ୍ୟ ପ୍ରକାଶ ପାଉଛି । ଏଥିପାଇଁ ଶାସକଦଳର ନେତା,ମନ୍ତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ପୁରଣ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଜିଲ୍ଲାପରିଷଦ ଉପାଧ୍ୟକ୍ଷା। ଅନ୍ୟପକ୍ଷରେ ଖୁବଶୀଘ୍ର ନ୍ୟାୟାଳୟ ସମସ୍ତ ମାମଲା ଜନସାଧାରଣଙ୍କ ସପକ୍ଷରେ ଦେବେ ଓ ଏଠାରେ ଅଞ୍ଚଳବାସୀଙ୍କ ସ୍ୱପ୍ନ ପୁରଣ ହେବ ବୋଲି ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ଲିକ୍ୟୁଡେଟର କହିଛନ୍ତି। ସାରଳା ସମବାୟ ସୂତାକଳ ସ୍ଥାନରେ ସୁପରସ୍ପେଷିଆଲିଷ୍ଟ ହସ୍ପିଟାଲ ନିର୍ମାଣ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଶ୍ଚିତ।ହେଲେ ଏହାର କାର୍ଯ୍ୟକାରିତା ଉପରେ ସମସ୍ତଙ୍କ ନଜର।

You May Also Like

More From Author

+ There are no comments

Add yours