Thu. Oct 15th, 2026

କୋରାପୁଟ : ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମ ଗୁଡ଼ିକରେ ଆନ୍ଧ୍ର ପ୍ରଶାସନ ତରଫରୁ ଓଡ଼ିଶା ଜଙ୍ଗଲ ଜମିକୁ ନିଜର କହି ରାଇ ପାହାଡ ଗ୍ରାମର ୧୫ ପରିବାରକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିବା ଜଣାପଡ଼ିଛି। ଉକ୍ତ ଜଙ୍ଗଲ ଜମି ପଟ୍ଟାଧାରିଙ୍କୁ ହିତାଧିକାରୀ ଦର୍ଶାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ସହ ପ୍ରଲୋଭନ ଦେଇ ନିଜର ଅନୁପ୍ରବେଶ ଜାରି ରଖିଥିବା ଜଣାପଡିଛି। ସୀମାନ୍ତ ଅଞ୍ଚଳର ଆନ୍ଧ୍ରର ଅନୁପ୍ରବେଶ ସମ୍ପର୍କରେ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ନିର୍ଦ୍ଦେଶ ମୁତାବକ ସୀମାନ୍ତ ଅଞ୍ଚଳ ଯାଞ୍ଚ କରିବାକୁ ଯାଇଥିବା ନନ୍ଦପୁର ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ହାତରେ ଆନ୍ଧ୍ର ପ୍ରଦତ୍ତ ଜଙ୍ଗଲ ଜମି ପଟ୍ଟା, ଆନ୍ଧ୍ର ଦ୍ଵାରା ହୋଇଥିବା ବିଭିନ୍ନ ପ୍ରକଳ୍ପର ପ୍ରମାଣ ହସ୍ତଗତ ହୋଇଛି। କିନ୍ତୁ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ଜମି ପଟ୍ଟା ଗୁଡ଼ିକୁ ଆନ୍ଧ୍ର ଅଧିକାରୀ ଗ୍ରାମବାସୀଙ୍କ ଠାରୁ ବିଭିନ୍ନ କାମ ବାହାନାରେ ନେଇ ଯାଇଥିବା ଜାଣିବାକୁ ପାଇ ଯାଞ୍ଚ ଅଧିକାରୀ ଦଳ ବିଭିନ୍ନ ଆଶା ଓ ଆଶଙ୍କା କରିଛନ୍ତି। ରାଇ ପାହାଡ ଗ୍ରାମ ବାସୀଙ୍କ ଠାରୁ ଆନ୍ଧ୍ର ପ୍ରଶାସନ ରାଜସ୍ବ ଜମିର ପଟ୍ଟା ନେଇ କିଛି ବଡ ଧରଣର ଯୋଜନା କରୁଥିବା ଆଶଙ୍କା କରିଛନ୍ତି। ସୂଚନା ଥାଉ କି ନନ୍ଦପୁର ତହସିଲ ପ୍ରଶାସନ ତହସିଲଦାର ନରସିଂହ ଗାଦବା, ପାଡୁଆ ରାଜସ୍ବ ନୀରିକ୍ଷକ ଅକ୍ଷୟ କ୍ଷତ୍ରୀ, ଅମିନ ଶଙ୍କର ବାବୁ ଓ ବାଲଡା ବନାଞ୍ଚଳ ଅଧିକାରୀ ବାଦଲ କୁମାର ମହାନ୍ତି ପାଡୁଆ ବନପାଳ ଓ ଦଳ ମିଳିତ ଭାବେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ସୀମାନ୍ତ ଅଞ୍ଚଳର ରାଜସ୍ବ ଓ ଜଙ୍ଗଲ ଜମି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସୀମା ସୂଚକ ପଥର ଡେଇଁ ଆନ୍ଧ୍ରର ଅନୁପ୍ରବେଶ କରୁଥିବା ସ୍ପଷ୍ଟ ହୋଇଥିଲା। ତହସିଲଦାର ଓ ଦଳ ରାଇ ପାହାଡ ଗ୍ରାମବାସୀଙ୍କୁ ନନ୍ଦପୁର ତହସିଲ ଦ୍ଵାରା ପ୍ରଦତ୍ତ ଜମି ପଟ୍ଟା ମାଗିବାରେ ଅଶିକ୍ଷିତ ରାଇ ପାହାଡ ଗ୍ରାମବାସୀ ନିଜ ନିଜର ଆନ୍ଧ୍ର ପ୍ରଦତ୍ତ ଜଙ୍ଗଲ ଜମି ପଟ୍ଟା ପ୍ରଦର୍ଶନ କରିଥିଲେ। ଓଡ଼ିଶା ରାଜସ୍ବ ଜମି ପଟ୍ଟା ଗାଁ କୁ ଆସୁଥିବା ଆନ୍ଧ୍ର କର୍ତ୍ତୃପକ୍ଷ ନେଇ ଯାଇଥିବା ଗ୍ରାମବାସୀ କହିବାରେ ଯାଞ୍ଚ ଦଳର ପାଦ ତଳୁ ମାଟି ଖସି ଗଲା ଭଳି ଉପଲବ୍ଧି କରିଥିବା ଶ୍ରୀ ଗାଦବା କହିଛନ୍ତି।

ରାଜସ୍ବ ଜମିରେ କୌଣସି ନିର୍ମାଣ ଆନ୍ଧ୍ର ତରଫରୁ କରାଯାଇ ନଥିବା ସ୍ପଷ୍ଟ କରିଛନ୍ତି। କିନ୍ତୁ ଜଙ୍ଗଲ ଜମିକୁ ଅକ୍ତିଆର କରିବାକୁ ଅନ୍ଦ୍ର ତରଫରୁ ପ୍ରାଣପଣେ ଚେଷ୍ଟା କରାଯାଉଥିବା ଯାଞ୍ଚ ଦଳ ତରଫରୁ ସୂଚନା ଦିଆଯାଇ ଜିଲ୍ଲା ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା କୁହାଯାଇଛି। ଆର୍କୁ ପ୍ରଶାସନର ମଣ୍ଡଳ ରାଜସ୍ବ ଅଧିକାରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲାପାଳ । ସେ ଏହି ସ୍ଥାନରେ ଅନୁପ୍ରବେଶ ବନ୍ଦ କରିବାକୁ ଚିଠି ରେ ଲେଖିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ନାହିଁ।

କୋରାପୁଟରୁ ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ, ଶବ୍ଦ ମିଡିଆ

Leave a Reply

Your email address will not be published. Required fields are marked *