Wed. Oct 14th, 2026

କୋରାପୁଟ :କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ ସେବା, ସୁଶାସନ ଓ ଗରୀବ କଲ୍ୟାଣ ସଂପର୍କରେ ବିଜେପି ମହାସଂପର୍କ ଅଭିଯାନ ଆରମ୍ଭ କରିଛି।ଏହି ଅବସରରେ ବିଜେପି ଜାତୀୟ ସାଧାରଣ ସମ୍ପାଦିକା ତଥା ଓଡିଶା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଡାଙ୍ଗଦେଉଳା ଠାରେ ହିତାଧିକାରୀ ସମ୍ମୀଳନୀରେ ଯୋଗ ଦେଇଥିଲେ।କେନ୍ଦ୍ର ସରକାରଙ୍କ ଆବାସ ଓ ଉଜ୍ଜଲା ଯୋଜନା ସଂପର୍କରେ ହିତାଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ।କେତେ ଲୋକ ଆବାସ ଓ ଉଜ୍ଜଳା ଯୋଜନା ପାଇଥିବା ବେଳେ ଅନ୍ୟ ବାସିନ୍ଦା ମାନେ ପାଇ ନ ଥିବା ପ୍ରକାଶ କରିଥିଲେ । ଏପରିକି ଲୋକମାନେ ପଟ୍ଟା ପାଇ ନ ଥିବା ପ୍ରକାଶ କରିଥିଲେ ।ଏହାପରେ ଆପଣଙ୍କ ବିଧାୟକ କିଏ ଓ କେଉଁ ଦଳର ବୋଲି ଓଡିଶା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ଉପସ୍ଥିତ ଲୋକମାନଙ୍କୁ ପଚାରିଥିଲେ ।ସେମାନେ ବିଧାୟକଙ୍କ ନାମ କହିବା ସହ ବିଜୁ ଜନତା ଦଳର ବୋଲି କହିଥିଲେ। ଆପଣମାନଙ୍କ କାମ ବିଧାୟକ କରୁ ନାହାଁନ୍ତି ବୋଲି ସେ କହିବା ସହ ବିଜେପିକୁ ଆର୍ଶୀବାଦ କରିବାକୁ କହିଥିଲେ ଗରିବ ଲୋକମାନେ ଜନଧନ ଖାତା ଖୋଲିପାରୁ ନାହାଁନ୍ତି କି ଆବାସ ଯୋଜନାରେ ଘର ପାଉ ନାହାଁନ୍ତି ତେବେ ସ୍ଥାନୀୟ ବିଧାୟକ କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାର ଷ୍ଟ୍ରିକର ମାରିବା ଦୁର୍ଭାଗ୍ୟ ଜନକ ବୋଲି ସେ କହିବା ସହ ଏ ସଂପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିଥିଲେ ବିଜେପି ନେତ୍ରୀ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି କୋରାପୁଟ ବିଧାୟକ ରଘୁରାମ ପଡାଲ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।ରାଜ୍ୟ ସରକାରଙ୍କ ତରଫରୁ ଉକ୍ତ ଗ୍ରାମରେ ସମସ୍ତ ଉନ୍ନୟନ କାର୍ଯ୍ୟ କରାଯାଉଥିବା ସେ କହିଛନ୍ତି। ନିର୍ବାଚନ ସମୟରେ ଲୋକମାନଙ୍କୁ ବିଜେପି ମିଥ୍ୟା ପ୍ରତିଶୃତି ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି।ରାଜ୍ୟର ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କାମ କରୁଛନ୍ତି ବୋଲି ସେ କହିଛନ୍ତି। ଲୋକମାନଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଆସିବ ବୋଲି ଯେଉଁ ପ୍ରତିଶୃତି ବିଜେପି ଦେଇଥିଲା ତାହା ବିଜେପି ପାଳନ କଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ହିତାଧିକାରୀ ବଳରାମ ପାଙ୍ଗି ଉଜ୍ଜାଳା ଯୋଜନାରେ ଗ୍ୟାସ ଚୁଲା ଓ ସିଲିଣ୍ଡର ପାଇଛନ୍ତି।କିନ୍ତୁ ଗ୍ୟାସ ସରିଗଲା ପରେ ଭର୍ତ୍ତି କରିବାକୁ ପାଖରେ ଅର୍ଥ ନ ଥିବାରୁ କାଠ ଚୁଲିରେ ରୋଷେଇ କରୁଥିବା କହିଛନ୍ତି ବଳରାମ ।କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ କୁମାର ପ୍ରଧାନଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା ନାୟକ, କାଳୀରାମ ମାଝୀ, ଭାଗିରଥି ପାଟନିଆ ,ଚନ୍ଦ୍ରଶେଖର ରଥ, ମହୀପାଳ ସିଂ, ନଗର ସଭାପତି ସିଦ୍ଧାର୍ଥ ଶଙ୍କର ମୁଦୁଲି ପ୍ରମୁଖଙ୍କ ସହ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *