ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ତେବେ ଏହାକୁ କିଭଳି ସୁରୁଖୁରରେ ଆୟୋଜନ କରିହେବ ସେଥିପାଇଁ ଆସନ୍ତା ୧୩ ତାରିଖରେ ତୃତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସରେ ଏହି ବୈଠକର ଅଧ୍ୟକ୍ଷତା କରିବେ। ଏହି ବୈଠକ ରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଫିସର୍, ସେବାୟତ ମାନେ ଉପସ୍ଥିତ ରହିବେ। ତେବେ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ ପୁର୍ବରୁ ପୁରୀ ଜିଲ୍ଲାପାଳ ନିଜେ ସେବାୟତଙ୍କ ବୈଠକ କରି ଥିବା ବିଭିନ୍ନ ସମସ୍ୟା ବୁଝିବା ସହ କିଭଳି ଅତି ଶୀଘ୍ର ସବୁକିଛି ସମାଧାନ ହୋଇ ପାରିବ ସେ ନେଇ ଆଲୋଚନା କରିଛନ୍ତି। ବିଶେଷ କରି ରଥଯାତ୍ରା ଦିନ କିଭଳି ସଠିକ୍ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି ଅନୁଷ୍ଠିତ ହୋଇ ପାରିବ ସେ ନେଇ ଆଲୋଚନା କରିଛନ୍ତି। ସେହିପରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ବାହ୍ୟ ରାସ୍ତା କାର୍ଯ୍ୟ ଖୁବ ଶିଘ୍ର ଶେଷ ହେବ। ଏଥି ସହିତ ନୂତନ ଭାବେ ହୋଇଥିବା ଶୌଚାଳୟ, ଜୋତା ଷ୍ଟାଣ୍ଡ, ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ରଥ ଯାତ୍ରା ରେ ଭକ୍ତ ମାନଙ୍କ କାମ ରେ ଲାଗିବ ସେ ଦିଗ୍ ରେ ପ୍ରଶାସନ ଅଧିକ ତତ୍ପର ଥିବା ପୁରୀ ଜିଲାପାଳ ସୁଚନା ଦେଇଛନ୍ତି। ଗୁଣ୍ଡିଚା ମନ୍ଦିର ର ମହାପ୍ରଭୁ ପହଣ୍ଡି ବିଜେ ରାସ୍ତାକୁ ନୂତନ ଭାବେ ନିର୍ମାଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ସେହିପରି ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ଯ ଆଉ ୨ ଦିନ ଭିତରେ ଶେଷ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୁରୀ ସହରରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟକୁ ନେଇ ଜିଲ୍ଲାପାଳ କହିଛନ୍ତି ଏହି ସମସ୍ୟା ସମାଧାନ ପାଇଁ ସେ ଟାଟା ପାୱାର ସହିତ କଥା କହିଚନ୍ତି। ବିଭିନ୍ନ ସମସ୍ୟାକୁ ଖୁବ ସିଘ୍ର ସମାଧାନ କରି ରଥ ଯାତ୍ରା ପୁର୍ବରୁ ବିଦ୍ୟୁତ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ଥିବା କହିଛନ୍ତି। ଆସନ୍ତାକାଲି ଗଜପତି ମହାରାଜା ଙ୍କ ଅଧ୍ୟକ୍ଷତା ରେ ଶ୍ରୀ ମନ୍ଦିର ପରିଚାଳନା କମିଟର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରଥ ଯାତ୍ରା ବଜେଟ, ରଥ ଯାତ୍ରାର ନୀତିକାନ୍ତିକୁ ଅନୁମୋଦନ କରାଯିବ। ଆସନ୍ତା ୧୩ ତାରିଖ ରେ ଶେଷ ତଥା ତୃତୀୟ ରଥଯାତ୍ରା ସମନ୍ଵୟ କମିଟି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେବ।