Wed. Oct 14th, 2026

ଲୋକସଭା ନିର୍ବାଚନ ପୁର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ ସଂଗଠନରେ ବଡ଼ ପରିବର୍ତ୍ତନ କରିଛି। ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି। ଏନ୍‌ସିପିର ମୁଖିଆ ଶରଦ ପାୱାର ଦଳର ୨୫ ତମ ସ୍ଥାପନା ଦିବସରେ ଏହି ଘୋଷଣା କରିଛନ୍ତି। ଶରଦ ପାୱାର କିଛି ଦିନ ତଳେ ପାର୍ଟିର ଅଧ୍ୟକ୍ଷ ପଦ ଛାଡ଼ିବାକୁ ଘୋଷଣା କରିଥିଲେ।କିନ୍ତୁ ପାର୍ଟି ନେତାଙ୍କ ଚାପରେ ସେ ପୁଣି ସଭାପତି ପଦ ସମ୍ଭାଳିଥିଲେ। ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ସହିତ ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ, ମହିଳା, ଯୁବ ଏବଂ ଲୋକସଭା ସମନ୍ୱୟ ଦାୟିତ୍ୱ ମଧ୍ୟ ମିଳିଛି।

ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ସୁପ୍ରିୟା ସୁଲେ। ସେହିପରି ପ୍ରଫୁଲ ପଟେଲଙ୍କୁ କାର୍ଯ୍ୟକାରୀ ସଭାପତି ସହ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୋଆର ଦାୟିତ୍ୱ ଦିଆଯାଇଛି। ଜାତୀୟ ସାଧାରଣ ସମ୍ପାଦକ ଭାବେ ସୁନୀଲ ଟାଟକରଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ତାଙ୍କୁ ଓଡିଶା, ପଶ୍ଚିମବଙ୍ଗ, କୃଷକ ଏବଂ ସଂଖ୍ୟାଲଘୁ ବିଭାଗରେ ଦଳର କାର୍ଯ୍ୟର ଦାୟିତ୍ୱ ଦିଆଯାଇଛି। ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବରେ ଘୋଷଣା କରି ଶରଦ ପାୱାର ପରୋକ୍ଷରେ ସୁପ୍ରିୟାଙ୍କୁ ତାଙ୍କର ଉତ୍ତରାଧିକାରୀ କରିଛନ୍ତି ।

ଶରଦ ପାୱାରଙ୍କ ନିଷ୍ପତ୍ତିକୁ ଦଳର ବରିଷ୍ଠ ନେତା ତଥା ପୁତୁରା ଅଜିତ ପାୱାରଙ୍କ ପାଇଁ ଏକ ପ୍ରତିବନ୍ଧକ ବୋଲି କୁହାଯାଉଛି। ଅଜିତ ପାୱାର ନିଜେ ଥରେ ଶରଦ ପାୱାରଙ୍କ ଉତ୍ତରାଧିକାରୀ ଭାବରେ ଦେଖାଯାଇଥିଲେ। ଯଦିଓ, ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ‘ସବୁ ଠିକ୍ ନୁହେଁ’ ବୋଲି ଖବର ଆସିଥିଲା, କିନ୍ତୁ ଅଜିତ ପାୱାର ପ୍ରତ୍ୟେକ ଥର ଏହାକୁ ଅସ୍ୱୀକାର କରିଥିଲେ। ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀଦଳର ନେତା ଅଜିତ ପାୱାରଙ୍କ ଦାୟିତ୍ୱ ରହିଛି।

Leave a Reply

Your email address will not be published. Required fields are marked *