ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ଜିଲ୍ଲା ଖିଇରପୁଟ ବ୍ଳକ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ୱର କେନାଲରେ ବୁଡ଼ି ୨ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ଗତକାଲି ସିନ୍ଧିଗୁଡ଼ା ଗାଁ ନିକଟରେ ଏହି ଘଟଣା ଘଟିଥିବା ବେଳେ ନିଖୋଜ ନାବାଳକ ଦ୍ୱୟ ଦିଣ୍ଡିଗୁଡ଼ା ଗାଁର ସଞ୍ଜିତ ଖିଡ଼ଙ୍ଗି ଓ ବଳରାମ ଖିଡ଼ିଙ୍ଗି।
ସଞ୍ଜିତ ଓ ବଳରାମ ସେମାନଙ୍କର ଆଉ ତିନି ଜଣ ସାଙ୍ଗଙ୍କ ସହିତ ଗତକାଲି ଅପରାହ୍ଣରେ ଏକ ବାହାଘର ଭୋଜି ଖାଇବା ପାଇଁ ଦେଶୀ ଡଙ୍ଗାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ପାର ହୋଇ ଆନ୍ଧ୍ର ପ୍ରଦେଶର ପାଡ଼ାଲପୁଟ ଗାଁକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ସେମାନେ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ୱରେ ଥିବା କେନାଲ ଦେଇ ଡଙ୍ଗାରେ ଫେରୁଥିଲେ। ସେତେବେଳେ ପବନ ବୋହୁଥିଲା। ତା’ ସହିତ ପାଣିର ସ୍ରୋତ ମଧ୍ୟ ପ୍ରଖର ଥିଲା। ତେଣୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା।
