ଫୋନରେ କଥା ହେଲେ ମୋଦି-ନବୀନ

ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କର ଜୀବନ ରକ୍ଷା କରିବା ଲାଗି ଯଥାସମ୍ଭବ ଉଦ୍ୟମ ଚାଲିଥିବା କଥା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି।

ସଂକ୍ଷେପରେ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ଘଟଣା ସଂକ୍ରାନ୍ତ ସଦ୍ୟତମ ସୂଚନା ପ୍ରଦାନ କରିବା ବେଳେ ଆହତ ରେଳଯାତ୍ରୀଙ୍କ ଚିକିତ୍ସା ଉପରେ ଗୁରୁତ୍ବାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆହତମାନଙ୍କ ଜୀବନ ରକ୍ଷା କରିବା ଲାଗି ଡାକ୍ତର ଓ ଡାକ୍ତରୀଛାତ୍ରଛାତ୍ରୀମାନେ ପାରୁପର୍ୟ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। ଆହତମାନଙ୍କୁ ରକ୍ତ ଦେବା ଲାଗି ଡାକ୍ତର, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଆଗେଇ ଆସୁଛନ୍ତି।

ଗୁରୁତ୍ବାରୋପ କରୁଥିବା ‘ପ୍ରତ୍ୟେକ ଜୀବନ ଅମୂଲ୍ୟ’ ନୀତିକୁ ଅନୁସରଣ କରି ଉଦ୍ଧାର ଅଭିଯାନ ପ୍ରାରମ୍ଭରୁ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାକୁ ନେବା, ଚିକିତ୍ସା ବନ୍ଦୋବସ୍ତ କରି ଜୀବନ ରକ୍ଷା କରିବା ଆଦି କାର୍ୟ୍ୟରେ ଅବହେଳା କରୁନାହୁଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

ସଦ୍ୟତମ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପ୍ରାୟ ୧୧୭୫ଜଣ ଆହତ ଯାତ୍ରୀଙ୍କ ମଧ୍ୟରୁ ୭୩୯ଜଣଙ୍କୁ ଡାକ୍ତରଖାନାରୁ ‘ଡିସ୍ଚାର୍ଜ’ କରାଯାଇଛି। ଅଧିକାଂଶ ଆହତଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ସମ୍ପ୍ରତି ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ୩୮୨ଜଣ ଯାତ୍ରୀ ଚିକିତ୍ସାଧୀନ ଅଛନ୍ତି।

ସଙ୍କଟ ବେଳେ ତ୍ବରିତ ଏବଂ ଫଳପ୍ରଦ ଉଦ୍ୟମ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରୟୋଜନ ହେଲେ କେନ୍ଦ୍ର ସରସକାର ଯେକୌଣସି ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

ଅସୁବିଧା ସମୟରେ ସହଯୋଗ ଓ ଉପଯୁକ୍ତ ସହାୟତା ଦେଇଥିବା ଓଡ଼ିଶାବାସୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି।

You May Also Like

More From Author

+ There are no comments

Add yours