ଆସନ୍ତାକାଲି ସକାଳେ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବେ ତିନି ଠାକୁର । ଏହି ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। ସ୍ନାନବେଦୀରେ ମହାପ୍ରଭୁଙ୍କ ଏହି ହାତୀବେଶ ବା ଗଜାନନ ବେଶ ସବୁଠାରୁ ଆକର୍ଷଣୀୟ ହୋଇଥିବା ବେଳେ ଶ୍ରୀମନ୍ଦିର ପାରମ୍ପରିକ ବେଶ କାରିଗରମାନେ ରାଘବ ଦାସ ମଠ ଓ ଗୋପାଳତୀର୍ଥ ମଠରେ ଏହି ବେଶ ନିଷ୍ଠାର ସହ ପ୍ରସ୍ତୁତି କରୁଛନ୍ତି।ଗୋପାଳତୀର୍ଥ ମଠ ବଳଭଦ୍ର ଓ ସୁଦର୍ଶନଙ୍କ ବେଶ ପ୍ରସ୍ତୁତ କରୁଥିବା ବେଳେ ରାଘବଦାସ ମଠ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ତିଆରି କରିଥାନ୍ତି। ଗତ ଅକ୍ଷୟତୃତୀୟା ଠାରୁ ସୋଲ, ଚିତ୍ରକର, ଦରଜୀ ଓ ରଣା ସେବାୟତମାନେ ହବିଷାନ୍ନ ଗ୍ରକ୍ଷଣ କରି ଅତି ନିଷ୍ଠାର ସହିତ ଏହି ବେଶକୁ ନିର୍ମାଣ କରୁଛନ୍ତି।ବିଶେଷ କରି ଏହି ବେଶ ନିର୍ମାଣ ପାଇଁ ସମସ୍ତ ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରାଯାଏ। ବାଉଁଶ,କଦଳୀ ପଟୁକା,ସୋଲ, ଜରି, ଜମ୍ୱୁରା, କନା ଓ କଇଁଥ ଅଠା ବ୍ୟବହାର କରାଯାଇ ଏହି ବେଶକୁ ବେଶ୍ ଆକର୍ଷଣୀୟ ଭାବେ ନିର୍ମାଣ କରିଥାନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ତରାସ, କିଆଫଳି, ଚନ୍ଦ୍ରସୂର୍ୟ୍ୟ, ଛତି, କାନ,ଚିତା, ଥୋଡହସ୍ତ, ଅଧର, ତୋରଣା ଓ ଗଜଖୁମ୍ବ ତିଆରି ହେଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ପାଇଁ ତଡକୀ, ନାକୁଆସୀ, ତରାସ, ଛତି, ଚୂଳ ଓ ଚିତା ତିଆରି ହେଉଛି।ସେହିପରି ପ୍ରଭୁ ସୁଦର୍ଶନଙ୍କ ପାଇଁ ସବୁଜ ରଙ୍ଗର ଚକ୍ର,ଚୂଳ ଓ ଓଲାର ତିଆରି ଚାଲିଛି। ପ୍ରଭୁ ବଳଭଦ୍ରଙ୍କ ପାଇଁ ଧଳାରଙ୍ଗ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ କଳାରଙ୍ଗର ବେଶ ପ୍ରସ୍ତୁତ କରୁଛନ୍ତି ଶ୍ରୀମନ୍ଦିରର ପାରମ୍ପରିକ ଶିଳ୍ପୀ ମାନେ। ପ୍ରାୟ ଏକମାସ ଧରି ଏହି ବେଶ ନିର୍ମାଣ କରିବା ପରେ ଦେବସ୍ନାନ ପୂର୍ଣ୍ଣମୀର ଅପରାହ୍ନରେ ବେଶ କାର୍ୟ୍ୟ ଶେଷ କରାଯାଇ ଏକ ବିରାଟ ପଟୁଆରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ। ମହାପ୍ରଭୁଙ୍କ ହାତୀବେଶ ନିର୍ମାଣ ପାଇଁ ପ୍ରାୟ ୧୦ ରୁ ଉର୍ଦ୍ଧ ଶିଳ୍ପୀ ବେଶ ନିଷ୍ଠାର ସହିତ କାର୍ୟ୍ୟ କରୁଛନ୍ତି। ମହାପ୍ରଭୁଙ୍କ ବେଶ ନିର୍ମାଣକୁ ଏକ ସେବା ଭାବେ ଗ୍ରହଣ କରି ଏହି କାରିଗର ମାନେ ନିଜକୁ ଧନ୍ୟ ମନେ କରନ୍ତି।