Thu. Oct 15th, 2026

ଅଶାନ୍ତ ହୋଇପଡିଥିଲା ମଣିପୁର । ମାସାଧିକ ସମୟ ପରେ ବି ଏଥିରେ ରୋକ ଲାଗୁ ନଥିଲା । ଏଭଳି ପରିସ୍ଥିତିରେ ରାଜ୍ୟରେ ପହଂଚିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଏହାରି ସହ ଚର୍ଚ୍ଚା ହେଉଛି ଯେ ହିଂସାର ନିଆଁ ଜଳିଥିବା ମଣିପୁରରେ ଫେରୁଛି ଶାନ୍ତି । ହିଂସା ପ୍ରଭାବିତ ଅଞ୍ଚଳରେ ବୁଲି ଖୋଦ ଗୃହମନ୍ତ୍ରୀ ଅମିତ ଶାହ ଦେଇଛନ୍ତି ଶାନ୍ତିର ବାର୍ତ୍ତା । ୪ ଦିନିଆ ମଣିପୁର ଗସ୍ତରେ ଥିବା ଶାହ ଆଜି ସର୍ବାଧିକ ହିଂସାଗ୍ରସ୍ତ ଅଂଚଳ ଚୁରାଚାନ୍ଦପୁର ଜିଲ୍ଲା ବୁଲିଛନ୍ତି । ସେଠାରେ ଆଦିବାସୀ ମହିଳାମାନେ ଜାତୀୟ ପତାକା ଧରି ଶାହଙ୍କୁ ସ୍ବାଗତ କରିଥିଲେ । ଶାହ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରି ହିଂସା ନିୟନ୍ତ୍ରଣ ପାଇଁ କଠୋର ରଣନୀତି କାର୍ୟ୍ୟକାରୀ କରିବାକୁ କହିଛନ୍ତି । ଇମ୍ଫାଲରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ହିଂସା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଶାହ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଏକ ସର୍ବଦଳୀୟ ବୈଠକ କରିବା ସହ ବିଭିନ୍ତ ଅନୁଷ୍ଠାନର ପ୍ରତିନିଧିଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ, ଗୁଇନ୍ଦା ଏବଂ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା ପରେ ଶାହ କହିଛନ୍ତି ଯେ ଶାନ୍ତି ଫେରିବା ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାରି ଭିତରେ ଉଭୟ କେନ୍ଦ୍ର ଏବଂ ମଣିପୁର ସରକାର ରାଜ୍ୟରେ ହିଂସା ଯୋଗୁଁ ଜୀବନ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *