କାଲି +୨ ଫଳାଫଳ

ମେ ୩୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ । ଏନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ବୁଧବାର ଦିନ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ତେବେ ଜୁନ୍ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ।ସୂଚନାଯୋଗ୍ୟ, ୧୫ ଦିନ ହେବ ସିବିଏସଇ ଓ ସିଆଇଏସସିଇ ପରୀକ୍ଷା ଫଳ ବାହାରି ସାରିଥିବାବେଳେ ଏଯାଏଁ ରାଜ୍ୟ ବୋର୍ଡ଼ର ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିନଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଆଡ଼ମିଶନ ଲାଗି ସମୟ ଗୁଡୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଏ ନେଇ ନୀରବଦ୍ରଷ୍ଟା ସାଜିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରକାଶ ଥାଉ କି, ଗତ ମାର୍ଚ୍ଚ ମାସ ୧ ତାରିଖରେ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଥିଲା ।ପ୍ରାୟ ୧୯ଟି ସିଟିଂରେ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଚାଲିଥିଲା । ପ୍ରଥମ ପର୍ୟ୍ୟାୟରେ ଏପ୍ରିଲ ୧୦ରୁ ୨୨ ମଧ୍ୟରେ ଅନଲାଇନରେ ପରୀକ୍ଷା ଖାତା ଦେଖାଯାଇଥିବାବେଳେ ଏପ୍ରିଲ ୧୦ରୁ ୨୧ ମଧ୍ୟରେ ଅଫଲାଇନରେ ଖାତା ଦେଖାଯାଇଛି । ପ୍ରଥମ ପର୍ୟ୍ୟାୟ ଅନଲାଇନ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫଲାଇନରେ ପ୍ରାୟ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ । ବିଜ୍ଞାନ ଓ ବାଣିଜ୍ୟ ବିଷୟ ଗୁଡ଼ିକର ଇ- ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟ ଗୁଡ଼ିକ ଲାଗି ୬୫ଟି କେନ୍ଦ୍ର କରାଯାଇଥିଲା ।ପରବର୍ତ୍ତୀ ପର୍ୟ୍ୟାୟରେ ଉଭୟ ଅନଲାଇନ ଓ ଅଫଲାଇନ ଖାତା ଦେଖା ହୋଇଥିଲା । ସେହିପରି ୨ୟ ପର୍ୟ୍ୟାୟରେ ଏପ୍ରିଲ ୨୫ରୁ ମଇ ୭ ତାରିଖ ପର୍ୟ୍ୟନ୍ତ ଅନଲାଇନ ଓ ୨୩ ଏପ୍ରିଲରୁ ମଇ ୪ ତାରିଖ ପର୍ୟ୍ୟନ୍ତ ଅଫଲାଇନରେ ଖାତା ମୂଲ୍ୟାୟନ କରାଯାଇଛି । ମୂଲ୍ୟାୟନ୍ ସରିବା ପରେ ଏବେ ରାଜ୍ୟ ବାହାରର ଏକ ଆଇଟି ସେଣ୍ଟରରେ ଏହାର ଡ଼ାଟାବେସ ପ୍ରସ୍ତୁତ କରାଯିବ ସହ ମାର୍କସିଟ୍ ଓ ସାର୍ଟିଫିକେଟ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ପରେ ଏ ସମସ୍ତ କାର୍ୟ୍ୟ ୨୮ ତାରିଖ ସୁଦ୍ଧା ଶେଷ ହୋଇଛି । ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

You May Also Like

More From Author

+ There are no comments

Add yours