ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍

ଶବ୍ଦ ଓଡିଶା ବ୍ୟୁରୋ: ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ରୋମାଂଚକର ମ୍ୟାଚରେ ଶେଷ ବଲରେ ଧୋନୀଙ୍କ ଚେନ୍ନାଇ ଟିମ୍ ବିଜୟୀ ହୋଇଛି । ପୁରା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚରେ ଭରିଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୧୪ ରନର ବିଶାଳ ସ୍କୋର କରିଥିଲେ । ବି.ସାଇ ସୁଦର୍ଶନ ମାତ୍ର ୪୭ଟି ବଲରୁ ଧୂଆଁଧାର ୯୬ ରନ୍ କରିଥିଲେ ।

ଶୁଭମନ ଗିଲ ୩୯ ଓ ରିଦ୍ଧିମାନ ଶାହା ୫୪ ରନର ଇନିଂସ୍ ଖେଳିଥିଲେ । ହେଲେ ପ୍ରଥମ ଇନିଂସ୍ ସରିବା ପରେ ବର୍ଷା ଆସିଯାଇଥିଲା । ଖେଳ ରୋକିବାକୁ ପଡ଼ିଥିଲା । ଫଳରେ ଚେନ୍ନାଇ ପାଇଁ ଟାର୍ଗେଟ ବଦଳା ଯାଇଥିଲା । ୧୫ ଓଭରରେ ଚେନ୍ନାଇ ପାଇଁ ବିଜୟ ଲକ୍ଷ୍ୟ ରହିଥିଲା ୧୭୧ ରନ୍ । ଜବାବରେ ଚେନ୍ନାଇ ପକ୍ଷରୁ ମଧ୍ୟ ଧୂଆଁଧାର ବ୍ୟାଟିଂ ଆରମ୍ଭ ହୋଇଥିଲା । ରୁତୁରାଜ ଗାଏକ୍ୱାଏଡ ଓ ଡେଭିଡ କନୱେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଦେଇଥିଲେ । ସେହିପରି ଅମ୍ବାଟି ରାଇଡୁ ୮ ବଲରୁ ୧୯ ଓ ଅଜିଙ୍କ୍ୟ ରାହାଣେ ୧୩ ବଲରୁ ୨୭ ରନ କରି ଆଉଟ ହୋଇଯାଇଥିଲେ । ଶେଷ ଦୁଇ ବଲରେ ୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ପଂଚମ ବଲରେ ଜାଡ଼େଜା ଆକର୍ଷଣୀୟ ଛକା ମାରିଥିଲେ । ଶେଷ ବଲରେ ଚେନ୍ନାଇ ଖେଳାଳି ୪ ରନ୍ କରିନେଇଥିଲେ । ଏହାସହ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପରକିଙ୍ଗସ୍ ।

You May Also Like

More From Author

+ There are no comments

Add yours