ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରାଭିଷେକ ନୀତି । ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯାଇଥାଏ । ଆଜି ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀ ମଦନମୋହନ ଆଜ୍ଞା ମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହେବେ । ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ୱାର ବାନ୍ଦ ହୋଇ ଜଗମୋହନକୁ ସମ୍ପୂର୍ଣ୍ଣ ଅନ୍ଧାର କରାଦିଆ ଯିବ । ଏହି ସମୟରେ ଗର୍ଭଗୃହରେ ମହାପ୍ରଭୁଙ୍କ ଆଲଟ ସେବା ହୋଇଥାଏ । ଏଥି ଉତ୍ତରାରୁ ଜଣେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇବେ ଓ ସ୍ୱୟଂ ପ୍ରଭୁ ରାଜେନ୍ଦ୍ରଭିଷେକ ହେବା ନିମନ୍ତେ କହିବେ । ଶ୍ରୀ ମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟ ମୂଳ ଥିବା ଏକ ସୁସଜିତ ରଥରେ ଆରୋହଣ କରିଥାନ୍ତି । ଘଣ୍ଟ , ଛତା, କାହାଳି ବାଜି ବିମାନବଡୁମାନେ ଉକ୍ତ ରଥକୁ ବଡ଼ ଦେଉଳର ବେଢା଼ ପରିକ୍ରମା କରି ପୁନଶ୍ଚ ବଟ ମୂଳେ ରଖିଥାନ୍ତି । ଏହି ସମୟରେ ପାଳିଆ ଖୁଣ୍ଟିଆ , ଗରାବଡୁ ସେବକ ଉପସ୍ଥିତ ରହିଥାନ୍ତି ।
ଜନୈକ ସେବକ କୁତ କୌତୁକ ଋଷି ଭାବେ ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ ଜଣାଇ ମାଳି ଦେଇଥିବା ଶୁକ୍ଳ ଫୁଲ ପାଳିଆ ଖୁଣ୍ଟିଆଙ୍କଠୁ ନେଇ ଆଞ୍ଜୁଳି କରି ବିଜେ ରାସ୍ତାରେ ପକାଇବା ସହିତ ଶ୍ରୀ ମଦନମୋହନଙ୍କୁ ଥରକୁ ଥର ଦଣ୍ଡ ପ୍ରଣାମ କରି ତାହାଙ୍କୁ ଦକ୍ଷିଣୀ ଘରକୁ ନେବେ । ଏଠାରେ ଖଟ ଉପରେ ବିଜେ ହେବା ପରେ ଶ୍ରୀ ମଦନମୋହନଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ ଥାଏ । ତତ୍ପରେ ଫୁଲ , ଚନ୍ଦନ ଲାଗି ହୋଇ ବେଶ ବଢିଥାଏ ଓ ଶୀତଳ ଭୋଗରେ ଖିରି , ଅମାଲୁ ଭୋଗ ହୋଇ ବନ୍ଦାପନା ବଢିବା ପରେ ଦକ୍ଷିଣୀ ଘରସ୍ଥ ସ୍ବଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।
ଅଭିଷେକ ସମୟରେ ଛତି ଟେକା ଯାଇଥାଏ । ଘଣ୍ଟା , କାହାଳୀ , ମହୁରୀ ବାଜୁଥାଏ। ଅଭିଷେକ ବଢିବା ପରେ ଭିତରେ ପଣା ଭୋଗ ଓ ଅନ୍ୟାନ୍ୟ ନୀତି ହୋଇଥାଏ।
