Thu. Oct 15th, 2026

ନୂଆ ସଂସଦ ଭବନ ଉଦ୍ଘାଟନ ଅବସରରେ କେନ୍ଦ୍ର ସରକାର ୭୫ ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା (କଏନ୍) ଜାରି କରିବେ ବୋଲି ଗୁରୁବାର ଦିନ ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି।ମେ ୨୫ ତାରିଖରେ ଜାରି କରାଯାଇଥିବା ‘ଗେଜେଟ୍’ ବିଜ୍ଞପ୍ତିରେ ଅର୍ଥମନ୍ତ୍ରାଳୟ କହିଛି ଯେ, ‘କଏନେଜ୍ ରୁଲ୍ସ୍, ୨୦୨୩’ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ। ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବରେ ଜାରି ହେବାକୁ ଥିବା ଏହି ୭୫ ଟଙ୍କିଆ ଧାତବ ମୁଦ୍ରା ଟଙ୍କାଶାଳରେ ନିର୍ମାଣ କରାଯିବ।୫୦% ରୁପା, ୪୦% ତମ୍ବା, ୫% ନିକେଲ୍ ଏବଂ ୫% ଦସ୍ତା ଧାତୁ ସମିଶ୍ରଣରେ ଏହି ୭୫ ଟଙ୍କିଆ ମୁଦ୍ରା ନିର୍ମାଣ କରାଯିବ। ୪୪ ମିଲିମିଟର୍ ଗୋଲେଇବିଶିଷ୍ଟ ଏହି ଧାତବ ମୁଦ୍ରାରେ ରହିବ ୨୦୦ଟି ଦାନ୍ତି। ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ। ତା’ ତଳକୁ ଥିବ ଦେବନାଗରୀ ଲିପିରେ ଲିଖିତ ‘ସତ୍ୟମେବ ଜୟତେ’। ସେହିପରି, ମୁଦ୍ରାର ବାମ ଗୋଲାର୍ଦ୍ଧ ପଟକୁ ରହିବ ଦେବନାଗରୀ ଲିପିରେ ଲିଖିତ ଶବ୍ଦ ‘ଭାରତ’ ଏବଂ ଡାହାଣ ଗୋଲାର୍ଦ୍ଧ ପାର୍ଶ୍ବକୁ ରହିବ ଇଂରାଜୀ ଲିପିରେ ଲିଖିତ ଶବ୍ଦ ‘ଇଣ୍ଡିଆ’। ପୁଣି, ଜାତୀୟ ସଙ୍କେତ ସିଂହ ତଳକୁ ଭାରତୀୟ ଟଙ୍କାର ସଙ୍କେତ (“₹”) ଏବଂ ଇଂରାଜୀ ସଂଖ୍ୟାରେ ଉଲ୍ଲେଖ ଥିବ ୭୫।ଏହାଛଡ଼ା, ଏହି ମୁଦ୍ରାର ପଛ ପାର୍ଶ୍ବରେ ଖୋଦିତ ହେବ ସଂସଦ ପରିସରର ଚିତ୍ର। ଏହାର ଉପର ଗୋଲାର୍ଦ୍ଧ ଧାରରେ ଦେବନାଗରୀ ଲିପିରେ ଉଲ୍ଲେଖ ରହିବ ସଂସଦ ଭବନ। ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ଉଲ୍ଲେଖ ରହିବ ‘ପାର୍ଲାମେଣ୍ଟ୍ କମ୍ପ୍ଲେକ୍ସ’। ସେହିପରି, ପାର୍ଲାମେଣ୍ଟ୍ ଚିତ୍ର ତଳେ ଉଲ୍ଲେଖ ରହିବ ବର୍ଷ ୨୦୨୩।

Leave a Reply

Your email address will not be published. Required fields are marked *