Wed. Oct 14th, 2026

ଶୈବପୀଠରେ ବନ୍ଦ ହେବ ଗଞ୍ଜେଇ । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଜଣାଇଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ।ଶୈବପୀଠ ମାନଙ୍କରେ ଗଞ୍ଜେଇର ବ୍ୟବହାର ଅଧିକ ହେଉଛି ।ତେଣୁ ଏହି ସବୁପୀଠ ଗୁଡ଼ିକରେ ଗଞ୍ଜେଇ ନିଷେଧ ପାଇଁ ନିର୍ଦ୍ଦେଶ ଦେଇଛି ସଂସ୍କୃତି ବିଭାଗ। ଗଞ୍ଜେଇ ବ୍ୟବହାର ରୋକିବାକୁ ଯଥାସମ୍ଭବ ଆବଶ୍ୟକ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗ ନିର୍ଦ୍ଦେଶ ଦେଇଛି।ତେବେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଆସିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପଦ୍ମଶ୍ରୀ ବାବା ବଳିଆ। ସେ କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରୁଛନ୍ତି। ଗଞ୍ଜେଇ ଟାଣିବା ଦ୍ବାରା ଯୁବପିଢ଼ି ବେମାରିଆ, ଅଳ୍ପାୟୁଷ ହେଉଛନ୍ତି। ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ଗଞ୍ଜେଇ ପଡ଼େ ବୋଲି ଜଣେ ଆଧ୍ୟାତ୍ମିକ ଗୁରୁ ଭାବେ ସେ ଜାଣିନଥିବା କହିଛନ୍ତି। ଗଞ୍ଜେଇ ସେବନ କରିବା ଦ୍ବାରା ମଣିଷ ରୋଗଗ୍ରସ୍ତ ହୁଏ, ଏହା ଟାଣିବା ଅନୁଚିତ। ଏବେ ଯୁଗ ବଦଳିବା ସହ ପୁଅଙ୍କ ସହ ଝିଅମାନେ ବି ଗଞ୍ଜେଇ ଟାଣୁଛନ୍ତି ବୋଲି ସେ କହିଛନ୍ତି।ଏ ସମ୍ପର୍କରେ ବିଭିନ୍ନ ଶିବ ମନ୍ଦିରର ପରିଚାଳକ ନିଜ ମତ ରଖି କହିଛନ୍ତି ଯେ, ଶ୍ରୀମନ୍ଦିରରେ କେବେ ବି ଗଞ୍ଜେଇ ଅର୍ପଣ କରାଯାଏ ନାହିଁ। ମୁଁ ଓଡ଼ିଶାରେ ଅନେକ ଶିବ ମନ୍ଦିରକୁ ଯାଇଥିଲି, କିନ୍ତୁ ଗଞ୍ଜେଇ କେଉଁଠି ବି ଅର୍ପଣ କରାଯାଏ ନାହିଁ। ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଛନ୍ତି।ଅନ୍ୟପକ୍ଷେ ଆଉ କିଛି ପୂଜକ କହିଛନ୍ତି ଯେ, ଭଗବାନ ଶିବଙ୍କ ‘ଘରସଣ’ ନୀତି ସମୟରେ ଗଞ୍ଜେଇ ବା ଭାଙ୍ଗ ବ୍ୟବହୃତ ହୋଇଥାଏ ଏବଂ ଏହା ଏକ ଶହ ଶହ ବର୍ଷର ପରମ୍ପରା। ‘ଘରସଣ’ ଭୋଗରେ ଭକ୍ତଙ୍କୁ ଭୋଗ ଲାଗି କରାଯାଏ। ଯଦି ସରକାର ଭଗବାନ ଶିବଙ୍କ ପୀଠରେ ଗଞ୍ଜେଇ ବ୍ୟବହାର ଉପରେ କଟକଣା ଲଗାନ୍ତି, ତେବେ ଆମେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ।ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ, ଭକ୍ତ, ଆଧ୍ୟାତ୍ମିକ ଗୁରୁଙ୍କ ସମେତ ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ନିଷେଧାଦେଶ ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଜନସ୍ୱାସ୍ଥ୍ୟକୁ ବଜାୟ ରଖିବା ସହ ବେଆଇନ ଦ୍ରବ୍ୟର ଅପବ୍ୟବହାରକୁ ରୋକିବା ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *