Wed. Oct 14th, 2026

ଭାରତରେ ଅନେକ ଐତିହାସିକ ହିନ୍ଦୁ ମନ୍ଦିର ରହିଛି । ହିନ୍ଦୁ ମାନେ ନିଜର ଆରାଧ୍ୟ ଦେବତାଙ୍କ ପାଇଁ ମନ୍ଦିରମାନ ଗଢ଼ି ତୋଳିଛନ୍ତି । ମନ୍ଦିର ମାନଙ୍କରେ ସାଧାରଣତଃ ଦେବାଦେବୀଙ୍କ ପୂଜା କରାଯାଇଥାଏ । କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୁହେଁ ସେଠାରେ ଅସୁରଙ୍କ ପୂଜା କରାଯାଇଥାଏ । ଭାରତର ଉତ୍ତରାଖଣ୍ଡରେ ଏପରି ମନ୍ଦିର ରହିଥିବା ସୂଚନା ମିଳିଛି । ତେବେ ଉତ୍ତରାଖଣ୍ଡ ଦେବଭୂମି ଭାବେ ବେଶ ପରିଚିତ । ଏହି ସ୍ଥାନରେ ଏପରି ମନ୍ଦିର ଅଛି ଯାହା ରହସ୍ୟ ଏବଂ ପୌରାଣିକ କଥା ପାଇଁ ଲୋକପ୍ରିୟ । ଏହି ସମସ୍ତ ମନ୍ଦିର ମଧ୍ୟରୁ ରାହୁ ମନ୍ଦିର ଅନ୍ୟତମ । ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲାରେ ଥିବା ମନ୍ଦିର ମାନଙ୍କରେ ଦେବତାଙ୍କ ସହ ଅସୁରମାନଙ୍କ ପୂଜା କରାଯାଇଥାଏ । ଏହା ସହିତ ଶ୍ରଦ୍ଧାଳୁମାନେ ମନ୍ଦିରରେ ଥିବା ଗ୍ରହମାନଙ୍କ ପୂଜା କରିଥାନ୍ତି ।ଉତ୍ତରାଖଣ୍ଡରେ ଅବସ୍ଥିତ ଥିବା ଏହି ମନ୍ଦିରକୁ ଦୂର ଦୂରାନ୍ତରରୁ ଲୋକମାନେ ଆସିଥାନ୍ତି । ନିଜ ଦୁଃଖ ଦୂର କରିବା ପାଇଁ ଶ୍ରଦ୍ଧାଳୁମାନେ ମାନସିକ କରିଥାନ୍ତି । ସ୍କନ୍ଧ ପୁରାଣ କେଦାରଖଣ୍ଡରେ ଉଲ୍ଲେଖ ଅଛି ଯେ ରାଷ୍ଟ୍ରକୁଟ ପର୍ବତ ନିକଟରେ ଥିବା ନାବାଳିକା ନଦୀ ତଟରେ ରାହୁ ଶିବଙ୍କର ଘୋର ତପସ୍ୟା କରିଥିଲା, ଯେଉଁଥିପାଇଁ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି ।ରାଷ୍ଟ୍ରକୁଟ ପର୍ବତ ନାମାନୁସାରେ ଏହି ଅଞ୍ଚଳକୁ ‘ରାଠ କ୍ଷେତ୍ର’ କୁହାଯାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଦ୍ୟ ଗୁରୁ ଶଙ୍କରାଚାର୍ୟ୍ୟ ଏହି ମନ୍ଦିରର ସ୍ଥାପନା କରିଥିଲେ । ଲୋକକଥା ଅନୁସାରେ ଶଙ୍କରାଚାର୍ୟ୍ୟ ଦକ୍ଷିଣରୁ ହିମାଳୟକୁ ଆସୁଥିବା ସମୟରେ ଏହି ସ୍ଥାନରେ ହିଁ ରାହୁଙ୍କ ପ୍ରଭାବର ଅନୁଭୁତି ହୋଇଥିଲା । ଏହା ପରେ ଶଙ୍କରାଚାର୍ୟ୍ୟ ରାହୁଙ୍କ ମନ୍ଦିର ନିର୍ମାଣ କରିବା ଆରମ୍ଭ କରିଥିଲେ ।ପୁରାଣରେ ବର୍ଣ୍ଣିତ ଅଛି ଯେ, ରାହୁ ସମୁଦ୍ର ମନ୍ଥନରେ ବାହାରିଥିବା ଅମୃତ ପାନ କରିଥିଲା । ଯାହା ପରେ ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଚକ୍ରରେ ରାହୁର ଶିର ଚ୍ଛେଦନ କରିଥିଲେ । ରାହୁର କଟା ମୁଣ୍ଡଟି ଏହି ଅଞ୍ଚଳରେ ପଡ଼ିଥିବାର ଲୋକକଥା ରହିଛି । ପରେ ଏଠାରେ ରାହୁର ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଥିଲା । ତେବେ ଏହି ମନ୍ଦିରରେ ଭଗବାନ ଶିବଙ୍କ ସହ ରାହୁ ପ୍ରତିମା ମଧ୍ୟ ପୂଜା କରାଯାଇଥାଏ । ଏହି ମନ୍ଦିର ପଥରରେ ନିର୍ମାଣ କରାଯାଇଛି । ଦୂର ଦୂରାନ୍ତରରୁ ଭକ୍ତମାନେ ଏହି ମନ୍ଦିରକୁ ଆସିଥାନ୍ତି । ଯେଉଁ ମାନଙ୍କର ଗ୍ରହ ସମସ୍ୟା ରହିଥାଏ ଏଠାରେ ପୂଜା କଲେ ସେମାନଙ୍କୁ ରାହୁ ଦୋଷରୁ ମୁକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *