ବଦଳିଲା ମନ୍ତ୍ରିମଣ୍ଡଳ; ଦାୟିତ୍ୱ ନେଲେ ଆରୁଖ, ଶାରଦା ଓ ସୁଦାମ

ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତିନିଜଣ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ । ଉଲ୍ଲେଖ ଥାଉ କି ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଆଉ ଗତକାଲି ହିଁ ଏହି ତିନି ଜଣ ବରିଷ୍ଠ ବିଧାୟକ ହିଁ ମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା। ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥମନ୍ତ୍ରୀ ଭାବେ ଚୟନ କରାଯାଇଛି । ସେହିପରି ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଶାରଦା ନାୟକଙ୍କୁ କ୍ୟାବିନେଟରେ ଶ୍ରମ ମନ୍ତ୍ରୀର ଭାର ଦିଆଯାଇଛି ।

ରାଜ୍ୟ ରାଜନୀତିର ଅନ୍ୟ ଏକ ଟାଣୁଆ ନେତା ତଥା ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଲଗାତାର ଭାବେ ଗଞ୍ଜାମର ଭଞ୍ଜନଗରରୁ ୬ ଥର ଜିତିଛନ୍ତି ନିର୍ବାଚନ । ୨୦୦୯ରୁ କ୍ରମାଗତ ଭାବେ ଅଛନ୍ତି ମନ୍ତ୍ରୀ । ୨୦୨୨ରେ ବିଧାନସଭାର ବାଚସ୍ପତି ପଦବୀ ପାଇଁ ହୋଇଥିଲେ ମନୋନୀତ । ଏହି ଦାୟିତ୍ୱକୁ ବର୍ଷେ ନ ପୁରୁଣୁ ମେ’ ୧୨ରେ ଦେଇଥିଲେ ଇସ୍ତଫା । ବର୍ତ୍ତମାନ ରାଜ୍ୟ କ୍ୟାବିନେଟର ଅର୍ଥମନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ ।

ମୟୂରଭଞ୍ଜ ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ରହିଛି ଖୁବ ଦବଦବା । ଜେଏମସରୁ ଆରମ୍ଭ କରିଥିଲେ କ୍ୟାରିଅର । ଜେଏମସ ପ୍ରାର୍ଥୀ ଭାବେ ୨ଥର ବିଧାନସଭା ଓ ଥରେ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ପରବର୍ତ୍ତୀ ସମୟରେ ଯୋଗ ଦେଇଥିଲେ ବିଜେଡ଼ିରେ । ୨୦୧୪ ଓ ୨୦୧୯ରେ ୨ଥର ବାଙ୍ଗିରୀପୋଷୀରୁ ହୋଇଛନ୍ତି ନିର୍ବାଚିତ । ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରିମଣ୍ଡଳ ଥିଲେ ରାଷ୍ଟ୍ରମନ୍ତ୍ରୀ । ୨୦୧୯ରେ ହେଲେ କ୍ୟାବିନେଟ ମନ୍ତ୍ରୀ, ଏବଂ ମିଳିଲା ରାଜସ୍ୱ ବିଭାଗର ଦାୟିତ୍ୱ । ବର୍ତ୍ତମାନ ରାଜ୍ୟ କ୍ୟାବିନେଟରେ ମିଳିଛି ସ୍କୁଲ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱ ।

ରାଉରକେଲା ବିଧାୟକ ଶାରଦା ନାୟକ ୩ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ରାଷ୍ଟ୍ରମନ୍ତ୍ରୀର ଦାୟିତ୍ୱ ନିଭେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ଶାରଦାଙ୍କ ଦବଦବା । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଳିଛି ଶ୍ରମ ମନ୍ତ୍ରୀର ଭାର ।

You May Also Like

More From Author

+ There are no comments

Add yours