ଚାନ୍ଦିପୁଟ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ,ଭାଙ୍ଗିଲା ବଡ଼ବଡ଼ ଗଛ

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଅଞ୍ଚଳରେ କାଳବୈଶାଖୀ ର ତାଣ୍ଡବ , ଭାଙ୍ଗିଲା ବିରାଟ କାୟ ଗଛ , ରାଜ ରାସ୍ତା ଅବରୋଧ , ଜନଜୀବନ ପ୍ରଭାବିତ। ଗଜପତି ଜିଲ୍ଲା ରେ ଗତ କିଛି ଦିନ ହେଲା କାଳବୈଶାଖୀ ର ପ୍ରଭାବ ରହିଥିବା ବେଳେ ଆଜି ଚାନ୍ଦିପୁଟ ଓ ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନ ସମୟରେ ପ୍ରବଳ ବେଗରେ ପବନ ବୋହିବା ସହ ଘଡ଼ଘଡ଼ି ଓ କୁଆପଥର ବର୍ଷା ହୋଇଛି । ପାଖାପାଖି ଏକ ଘଣ୍ଟା କାଳ ମୂଷଳଧାରାରେ ବର୍ଷା ହେବା ସହ ପବନ ବୋହିଥିଲା । ଯାହାଫଳରେ ବିଭିନ୍ନ ସ୍ଥାନରେ ବିରାଟ କାୟ ଗଛ ଧରାଶାୟୀ ହୋଇ ପଡିଛି । ଖାରିଢେପ ଓ କାଳିଆପଟା ମଧ୍ୟ ରେ ଥିବା ରାଜରାସ୍ତା ଉପରେ ବିରାଟ କାୟ ଆମ୍ବ ଗଛ ଧରାଶାୟୀ ହୋଇ ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା । ଫଳରେ ମୋହନା ପାରଳାଖେମୁଣ୍ଡି କୁ ଯୋଗାଯୋଗ କରୁଥିବା ରାସ୍ତା ଦୁଇ ପାର୍ଶ୍ଵରେ ପ୍ରାୟ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅଟକି ରହିଥିଲା ଶତାଧିକ ଗାଡ଼ି । ସ୍ଥାନୀୟ ଲୋକେ ୧୧୨ ଅଗ୍ନିଶମ ବିଭାଗ କୁ ଫୋନ କରି ଜଣାଇଥିଲେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିବା ରେ ବହୁ ବିଳମ୍ବି ଘଟିଥିଲା । ଚାନ୍ଦିପୁଟ ଗ୍ରାମର ରବିନ୍ଦ୍ର ବେହେରା , ଟୁକୁନା ବଳିଆରସିଂହ, ସମିତି ସଭ୍ୟ ସୋମନାଥ ଙ୍କ ସ୍ଥାନୀୟ ଯୁବକ ମାନେ ଗଛ କୁ ହାଣି ରାସ୍ତା ସଫା କରିଥିଲେ । ପରେ ଗଞ୍ଜାମ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ର ଏକ ଟିମ୍ ପହଞ୍ଚି ଯନ୍ତ୍ର ସାହାଯ୍ୟରେ ଗଛକୁ କାଟିବାରୁ ରାସ୍ତା ଅବରୋଧ ହଟିଥିଲା । ସେପଟେ ମଳାସପଦର ରାସ୍ତା ରେ ମଧ୍ୟ ଏକ ଗଛ ପଡ଼ିଯାଇଥିବା ହେତୁ ମୋହନା ଅଗ୍ନିଶମ ବାହିନି ରାସ୍ତା ରୁ ଗଛ ହଟାଇବାରେ ଲାଗି ପଡ଼ିଥିଲେ । ଯାହାଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଦୁଇ ପାର୍ଶ୍ଵରେ ଶହ ଶହ ଯାନ ଓ ଜନସାଧାରଣ ହଟହଟା ହେବାକୁ ପଡ଼ିଥିଲା । ଅଞ୍ଚଳରେ ଆକସ୍ମିକ ପବନ ସହ ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ଅଧିକାଂଶ ବନ୍ଦ ରହୁଥିବା ଯୋଗୁଁ ନାନାଦି ଅସୁବିଧା ରେ ସମ୍ମୁଖିନ ହେଉଛନ୍ତି ଜନସାଧାରଣ ।

You May Also Like

More From Author

+ There are no comments

Add yours