ରାୟଗଡା : କରୋନା ଟିକା ନେବା ଭୟରେ ଗାଁରେ ପଡିଲା ତାଟି କବାଟ । ସହରା ହେଉ ବା ଗାଁ ସବୁଠି କରୋନା ଟିକା ନେବା ପାଇଁ ଲମ୍ବା ଧାଡି ଦେଖିବାକୁ ମିଳୁଛି । କିନ୍ତୁ କରୋନା ଟିକା ଭୟରେ ଗାଁରେ ତାଟି କବାଟ ପକାଇ ଲୋକେ ଜଙ୍ଗଲକୁ ଚାଲିଯିବା ଘଟଣା ରାୟଗଡା ଜିଲ୍ଲାର ଆଦିବାସୀ ଗାଁ ଚମ୍ପକଣାରେ ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ଦୃଶ୍ୟ । ଲୋକଙ୍କ ଘରେ ତାଲା ପଡିଛି । ଗାଁ ଜନଶୂନ୍ୟ । ଏବେ କରୋନା ସଂକ୍ରମିଟଙ୍କ ସଂଖ୍ୟା ଗ୍ରାମାଂଚଳରେ ବୃଦ୍ଧି ପାଉଥିବାରୁ ସମସ୍ତଙ୍କୁ ଟିକାକରଣ ସୁନିଶ୍ଚିତ କରାଇବା ଲକ୍ଷ୍ୟରେ ଆଭ୍ୟନ୍ତରୀଣ ଗ୍ରାମରେ ଟୀକାକରଣ ଜାରି ରହିଛି । ହେଲେ ଜିଲ୍ଲାର କୋଲନରା ବ୍ଲକ କୈଳାଶପୁର ପଂଚାୟତର ଚମ୍ପାକଣା ଗାଁରେ ସଚେତନତା ଅଭାବରୁ ଆଦିବାସୀମାନେ ଟିକା ନେବାକୁ ଭୟକରୁଛନ୍ତି । ୫୦୦ରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଅନ୍ଧବିଶ୍ବାସ ଓ କୁସଂସ୍କାରର ବଶବର୍ତ୍ତୀ ହୋଇ ଲୋକମାନେ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିବା ପୂର୍ବରୁ ତାଟି କବାଟ ପକାଇ ନିକଟସ୍ଥ ଜଙ୍ଗଲକୁ ପଳାଇଛନ୍ତି। ପୂରା ଗାଁ ଜନଶୂନ୍ୟ ଥିବାରୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଶେଷରେ ନିରାଶ ହୋଇ ଫେରିଆସିଛନ୍ତି। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଗାଁ ଲୋକଙ୍କୁ ବହୁତ ବୁଝାସୁଝା କରିଥିଲେ । ମାତ୍ର ଲୋକଙ୍କ ଅସହଯୋଗ ଟିକାକରଣରେ ବାଧା ଉପୁଜାଇଛି ।

