ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ସମ୍ପର୍କୀତ ସଂସଦୀୟ ସ୍ଥାୟୀ କମିଟି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମୀକ୍ଷା ଅବସରରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାରେ କମିଟି ଖୁସି ବ୍ୟକ୍ତ କରିଥିଲେ। ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କେତେକ କ୍ଷେତ୍ରରେ ଯୋଜନାକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବାକୁ କିଛି ପ୍ରସ୍ତାବ ମଧ୍ୟ ପ୍ରଦାନ କରିଥିଲେ। ସାଂସଦ ଶ୍ୟାମ ସିଂହ ଯାଦବଙ୍କ ଅଧ୍ୟକ୍ଷତାରେ ସଂସଦୀୟ ସ୍ଥାୟୀ କମିଟିର ସାଂସଦମାନେ ଏହି କମିଟିରେ ସାମିଲ ହେବା ସହ ପିପିଲି ବ୍ଲକ ହାଟସାହିର ଗ୍ରାମ୍ୟ ପାର୍କ ଓ ଗ୍ରାମ୍ୟ ପାଠାଗାର, ଦାଣ୍ଡମୁକୁନ୍ଦପୁରର ରଜତଇ ଛକ ପିଏମଜିଏସୱାଇ ରାସ୍ତା, ମା ମମତା ଉତ୍ପାଦକ ଗୋଷ୍ଠୀ, ଗ୍ରାମ୍ୟ ଜିମ୍, ଦୂର୍ଗାଦାସପୁର ପଞ୍ଚାୟତ ଅଫିସ, ଗ୍ରାମ୍ୟ ହାଟ, କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଓ ଗ୍ରାମ୍ୟ ପାଠାଗାର ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ କମିଟି ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତାରେ ଖୁସି ବ୍ୟକ୍ତ କରିଥିଲେ। ପରେ ପୁରୀ ମେ ଫେୟାର ହୋଟେଲ ଠାରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନା ଯଥା ଏମଜିଏନଆରଜିଏ, ସାମାଜିକ ସୁରକ୍ଷା , ମିଶନ ଶକ୍ତି, ଗ୍ରାମ୍ୟ ରାସ୍ତା ନିର୍ମାଣ,ଜୀବିକା ମିଶନ,ପଞ୍ଚାୟତରାଜ ବିଷୟରେ ଆଲୋଚନା ହୋଇଥିଲା।