୨୮୪୧ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆଉ ୨୮୪୦.୭୩ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି । ଏହାଦ୍ୱାରା ୩୭୨୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିପାରିବ । ଏହି ମୋଟ ନିବେଶ ପ୍ରସ୍ତାବ ମଧ୍ୟରେ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଥିବା ୯ଟି କମ୍ପାନୀର ପ୍ରକଳ୍ପ ସାମିଲ ରହିଛି ।

ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟିର ୧୧୭ତମ ବୈଠକରେ ଯେଉଁ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ସେଥିରେ ରସାୟନ ଓ ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ, ବୟନ ଓ ପୋଷାକ, ପର୍ଯ୍ୟଟନ, ଅକ୍ଷୟ ଶକ୍ତି, ଆଲୁମିନିୟମ, ଆଲୁମିନିୟମ ଆଧାରିତ ଇସ୍ପାତ ସହ ସଂଯୁକ୍ତ ଶିଳ୍ପ ଆଦି ସାମିଲ ରହିଛି । ଏସବୁ ପ୍ରକଳ୍ପ ବଲାଙ୍ଗିର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରକଳ୍ପ ସ୍ଥାପନ ହେବ ।

ମୟୂରଭଞ୍ଜର ଜାମଦାଠାରେ ୮୯୬.୯୮କୋଟି ଟଙ୍କାର ପୁଞ୍ଜିନିବେଶରେ ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ଆରସିଆର ଷ୍ଟିଲ ୱାର୍କସ ପ୍ରାଃ ଲିମିଟେଡ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୭୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ ଲିମିଟେଡ୍ ଓ ସମ୍ବଲପୁରର ଲାପଙ୍ଗାସ୍ଥିତ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ଅତିରିକ୍ତ ଏକ ହଜାର କୋଟି ଟଙ୍କା ବିନିଯୋଗ ହେବ ଓ ୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ।

You May Also Like

More From Author

+ There are no comments

Add yours