ମହଙ୍ଗା ପଡିଲା ସାମ୍ବାଦିକଙ୍କୁ ସୂଚନା ନଦେବା; ତଣ୍ଡ ଗଣିଲେ ଥାନା ଆଇଆଇସି

ପୂର୍ବତନ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀଙ୍କୁ ପନ୍ଦର ହଜାର ଟଙ୍କା ଜରିମାନା, ଭବିଷ୍ୟତରେ ସୂଚନା ପ୍ରଦାନରେ ବିଳମ୍ବ ନକରି କରିବା ପାଇଁ କଡ଼ା ଚେତାବନୀ ଦେଲେ ମୁଖ୍ୟ ସୂଚନା କମିଶନ।

ସୂଚନା ଅଧିକାର ଆଇନ ଉଲଂଘନ ଓ ତଥ୍ୟ ପ୍ରଦାନରେ ବିଳମ୍ବ କରିବା ନେଇ ରାଜ୍ୟ ସୂଚନା। କମିଶନଙ୍କ ନିକଟରେ ଗତ ୨୦୨୦ ମସିହାରେ ରୁଜୁ ହୋଇ ଥିବା ଏକ ଦ୍ବିତୀୟ ଅପିଲ କେସ ନମ୍ବର ୧୧୪୬/୨୦ ମାମଲାର ବିଚାର କରି ରାଜ୍ୟ ମୁଖ୍ୟ ସୂଚନା କମିଶନ ଶ୍ରୀଯୁକ୍ତ ଜଳଦ କୁମାର ତ୍ରିପାଠୀ।

ପୁର୍ବତନ କୁମ୍ଭାରପଡ଼ା ଥାନା ଆଇଆଇସି ତଥା ଲୋକ ସୂଚନା ଅଧିକାରି ତଥା ବର୍ତ୍ତମାନ କାର୍ଯ୍ୟରତ ବାସେଲି ସାହି ଥାନା ଆଆଇସି କୁଳମଣି ସେଠୀଙ୍କୁ ପନ୍ଦର ହଜାର ଟଙ୍କା ଆର୍ଥିକ ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ବାବଦ ଅର୍ଥକୁ ୩ ଗୋଟି ସମ୍ମାନ କିସ୍ତିରେ କୁଳମଣିଙ୍କ ଦରମାରୁ କାଟି ସରକାରଙ୍କ ଟ୍ରେଜେରି ହେଡରେ ଜମା କରିବା ପାଇଁ ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ। ସେହିପରି ଅନ୍ୟ ଦୁଇ ଗୋଟି ଅପିଲ କେସ ନମ୍ବର ୧୧୮୭/୨୦ ଓ ୧୧୮୬/୨୦ ର ବିଚାର କରି ଆବେଦନକାରୀଙ୍କୁ  ସଠିକ୍ ସମୟରେ ସୁଚନା ପ୍ରଦାନ କରିବା ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନାରାବୃର୍ତ୍ତି ନ କରିବା ପାଇଁ ମୁଖ୍ୟ ସୂଚନା କମିଶନ ତାଙ୍କ ରାୟରେ କଡ଼ା ଚେତାବନୀ ଦେଇଛନ୍ତି। ଖବରରୁ ପ୍ରକାଶ ଯେ ପୁରୀର ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ୍ ପଟ୍ଟନାୟକ ଗତ ୨୦୨୦ ମସିହା ଫେବୃଆରୀ ୧୦ ତାରିଖରେ ସୂଚନା ଅଧିକାର ଆଇନ ବଳରେ ତତ୍କାଳୀନ କୁମ୍ଭାରପଡ଼ା ଥାନା ଅଧିକାରୀ ତଥା ଲୋକ ସୂଚନା ଅଧିକାରି ଇନ୍ସପେକ୍ଟର କୁଳମଣି ସେଠୀଙ୍କ ନିକଟରେ ଆବେଦନ କରିଥିଲେ। ତେବେ ସୂଚନା ଅଧିକାର ଆଇନ ଅନୁଯାୟୀ ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ଆଇନରେ ସ୍ପଷ୍ଟ ନିୟମ ରହିଥିଲେ ସୁଦ୍ଧା ଶ୍ରୀ ସେଠୀ ଜାଣିଶୁଣି ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ କରି ନ ଥିଲେ। ଫଳରେ ସାମ୍ବାଦିକ ଶ୍ରୀ ପଟ୍ଟନାୟକ ସୂଚନା ଅଧିକାର ଆଇନ ୨୦୦୫  ଧାରା ୧୯(୧) ଅନୁଯାୟୀ କୁଳମଣି ସେଠୀଙ୍କ ବିରୋଧରେ ସୂଚନା ଆଇନ ଉଲଂଘନ କରିବା ଓ ଜାଣିଶୁଣି ସୂଚନା ନ ଦେବା ଓ ଅଯଥା ହରିରାଣ କରିବା ନେଇ ତତ୍କାଳୀନ ଜିଲ୍ଲା ଏସପି ଡକ୍ଟର ଉମା ଶଙ୍କର ଦାସ ତଥା ପ୍ରଥମ ଅପିଲେଟ ଅଧିକାରୀଙ୍କ ନିକଟରେ ପ୍ରଥମ ଅପିଲ ଦାଖଲ କରିଥିଲେ। ଶ୍ରୀ ଦାସ  ଅପିଲର ବିଚାର କରି ୨୦୨୦ ଜୁଲାଇ ୯ ତାରିଖରେ କୁଳମଣି ସେଠୀଙ୍କୁ ୭ ଦିନ ମଧ୍ୟରେ ସୂଚନା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ୭ ଦିନ ବିତି ଯାଇଥିଲେ ମଧ୍ୟ କୁଳମଣି ଏସପିଙ୍କ ନିର୍ଦ୍ଦେଶକୁ ବେଖାତିର କରି ସାମ୍ବାଦିକ ଶ୍ରୀ ପଟ୍ଟନାୟକଙ୍କୁ ସୂଚନା ପ୍ରଦାନ କରି ଥିଲେ। ଏସପିଙ୍କ ନିର୍ଦ୍ଦେଶ ମୁତାବକ ସୂଚନା ପ୍ରଦାନ କରିବା ପାଇଁ ସାମ୍ବାଦିକ ଶ୍ରୀ ପଟ୍ଟନାୟକ ବାରମ୍ବାର ପତ୍ର ମାଧ୍ୟମରେ କୁଳମଣିଙ୍କୁ ନିବେଦନ କରିଥିଲେ ମଧ୍ୟ ସେ ଏଥି ପ୍ରତି କର୍ଣ୍ଣପାତ କରି ନ ଥିଲେ। ଅନ୍ୟ ଉପାୟ ନପାଇ ସାମ୍ବାଦିକ ଶ୍ରୀ ପଟ୍ଟନାୟକ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ପୂର୍ବତନ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀଙ୍କ ବିରୋଧରେ ଏକ ଦ୍ଵିତୀୟ ଅପିଲ ଦାଖଲ କରିଥିଲେ। ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅପିଲ ମାମଲା କମିଶନଙ୍କ ନିକଟରେ ବିଚାରଧିନ ଥିଲା। ମାନ୍ୟବର ମୁଖ୍ୟ ସୂଚନା କମିଶନ ଚଳିତ ବର୍ଷ ମାର୍ଚ୍ଚ ୨୩ରେ ମାମଲାର ବିଚାର କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

You May Also Like

More From Author

+ There are no comments

Add yours