Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ନିଖୋଜ ହୋଇଯାଇଥିବା ଯୁବକଙ୍କ ମୃତଦେହ ମିଳିଛି। ୧୭ ଘଣ୍ଟାର ଆକ୍ରାନ୍ତ ପରିଶ୍ରମ ପରେ ଓଡ୍ରାଫ ଟିମ ଯୁବକଙ୍କ ମୃତଦେହକୁ ଉପରଖଣ୍ଡାଧାରରେ ଠାବ କରିଛି। ମୃତ ଯୁବକ ଜଣଙ୍କ ହେଲେ ଲୋପା ମୁଣ୍ଡା।। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କାଲଟା ଅଞ୍ଚଳରେ।

ରବିବାର ଲୋପା ମୁଣ୍ଡା ଓ ତାଙ୍କ ସାଙ୍ଗ ବରସୁଆଁରେ ଥିବା ଜଣେ ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ। ସେଠାରୁ ସେମାନେ ବରସୁଆଁ ନିକଟ ଖଣ୍ଡାଧାର ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ପରେ ପ୍ୟାଣ୍ଟ ପିନ୍ଧୁଥିବା ସମୟରେ ଲୋପା ମୁଣ୍ଡାଙ୍କ ଗୋଡ଼ ପଥରରେ ଖସିଯାଇଥିଲା। ସେ ୮୦୦ରୁ ୯୦୦ ମିଟର ତଳକୁ ଖସିପଡ଼ି ଏକ ପଥର କୋରଡ଼ରେ ରହି ଯାଇଥିଲେ।

ପୁଲିସ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କୁ ଠାବ କରିପାରି ନଥିଲେ। ଏହା ପରେ ରାଉରକେଲା ଓଡ୍ରାଫ ଟିମ୍‌ର ସହାୟତା ନିଆଯାଇଥିଲା। ଗତକାଲି ଓଡ୍ରାଫ ଟିମ୍ ପହଞ୍ଚି ଯୁବକଙ୍କ ମୃତଦେହକୁ ଠାବ କରିଥିଲେ। ଏକ ପଥର କୋରଡ଼ରେ ସେମାନେ ମୃତଦେହକୁ ପାଇଥିଲେ। ସେମାନେ ମୃତଦେହକୁ ସେଠାରୁ ଉଠାଇ କିଛି ଦୂର ଆଣିଥିଲେ। ହେଲେ ରାତି ହୋଇଯିବା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଆଜି ଯୁବକଙ୍କ ମୃତଦେହ ଉପରକୁ ଅଣାଯିବ ବୋଲି ଓଡ୍ରାଫ ଟିମ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *